କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇପିଏଫ ପେନସନଭୋଗୀଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ ଦାବି ।

342

କନକ ବ୍ୟୁରୋ : ଇପିଏଫ ପେନସନଭୋଗୀଙ୍କ ସର୍ବନିମ୍ନ ମାସିକ ପେନସନ ପରିମାଣକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗ ୱାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ନିଜ ପତ୍ରରେ ସେ ଓଡ଼ିଶାର ପ୍ରାୟ ୧.୬୨ ଲକ୍ଷ ଇପିଏଫ ପେନସନଭୋଗୀଙ୍କ ଦୁରାବସ୍ଥା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଲେଖିଛନ୍ତି ଯେ ଏହି ପେନସନଧାରୀମାନେ ନିଜର ଯୁବା ବୟସରେ ଦେଶଗଠନ ଦିଗରେ ନିଜର ଯୋଗଦାନ ଦେଇଥିଲେ । କିନ୍ତୁ ଅବସର ନେବା ପରେ ନିଜର ପରିଣତ ବୟସରେ ସେମାନେ ଅଳ୍ପ ପେନସନରେ ଚଳିବାକୁ ବାଧ୍ୟ ହେଉଛନ୍ତି । ଏହି ସର୍ବନିମ୍ନ ପେନସନ ପରିମାଣକୁ ବୃଦ୍ଧି କରିବାକୁ ଇପିଏସ-୯୫ ପେନସନଭୋଗୀ ସଂଘ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି । ସେମାନେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ନିଜର ଦାବି କରିଆସୁଛନ୍ତି ।

୨୦୧୩ର ଭଗତ ସିଂ କୋସିୟାରି କମିଟି ମଧ୍ୟ ଇପିଏସ-୯୫ ପେନସନଭୋଗୀମାନଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ ସୁପାରିଶ କରିଥିଲା । ଏହି କମିଟିର ସୁପାରିଶକୁ ଲାଗୁ କରିବାକୁ ସଂଘ ପକ୍ଷରୁ ଦାବି ହୋଇଆସୁଛି । ଏସବୁ ଦାବିଗୁଡ଼ିକ ଉପରେ ସକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।