କନକ ବ୍ୟୁରୋ : ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହାଛଡା ବୈଠକରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମାନ୍ତବର୍ତ୍ତୀ ଅଞ୍ଚଳ ସମେତ ସହରାଞ୍ଚଳ ପାଇଁ ନିଆଯାଇପାରେ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ।

Advertisment

ଏବେ ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏଭଳିସ୍ଥଳେ ରାଜ୍ୟରେ କରୋନା ଚେନକୁ ଭାଙ୍ଗିବାକୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ କରାଯାଇଥିବା ବେଳେ କଟକଣାକୁ କଡାକଡି କରାଯାଇଛି । କିଛି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ବଡ ସମାବେଶ ଉପରେ କଟକଣା ଲଗାଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୧୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ କରୋନା କାୟା ମେଲାଇବା ପୂର୍ବରୁ କିଭଳି ଏହାକୁ ନିୟନ୍ତ୍ରଣ କରାଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯିବ ।