ଆସନ୍ତାକାଲି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଅନୁଧ୍ୟାନ ପରେ କରିବେ ସ୍ଥିତିର ସମୀକ୍ଷା, ମୁଖ୍ୟ ଶାସନ ସଚିବ କହିଲେ, ରାଜ୍ୟରେ ସୁଧୁରୁଛି ବନ୍ୟା ସ୍ଥିତି, ମୁଣ୍ଡଳୀରେ ବଢ଼ୁ ନାହିଁ ଜଳସ୍ତର ।

99

ବନ୍ୟା ପରିସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିବେ । ଲଗାତର ତିନୋଟି ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବାରୁ ଓଡିଶାର ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ମହାନଦୀରେ ବନ୍ୟା ଆସିଛି । ବ୍ରାହ୍ମଣୀ ନଦୀ ଯୋଗୁଁ ଯାଜପୁରର ଜିଲ୍ଲାର ବରି ଅଂଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ମହନଦୀରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ହୀରାକୁଦକୁ ସର୍ବାଧିକ ୯ଲକ୍ଷ ୧୧ହଜାର କ୍ୟୁସେକ ଜଳ ପ୍ରବେଶ କରିଛି । ହୀରାକୁଦ ଡ୍ୟାମରୁ ସର୍ବାଧିକ ୭ଲକ୍ଷ ୬୫ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଛି ।

ହୀରାକୁଦ ଡ୍ୟାମର ୬ଟି ଗେଟ ବନ୍ଦ କରାଯାଇଛି । ବର୍ତମାନ ୪୦ଟି ଗେଟ୍ ଖୋଲା ରହିଛି । ହିରାକୁଦରୁ ବନ୍ୟା ଜଳ ନିଷ୍କାସିତ ହୋଇ ମୁଣ୍ଡଳୀର ପହଁଚିଥିବା ବେଳେ ସର୍ବାଧିକ ୧୦ଲକ୍ଷ ୨ହଜାର କ୍ୟୁସେକ ଜଳ ମୁଣ୍ଡଳୀ ଅତିକ୍ରମ କରିଛି । ଆଗାମୀ ୨୪ଘଂଟା ପର୍ଯ୍ୟନ୍ତ ମୁଣ୍ଡଳୀରେ ଜଳପ୍ରବାହ ଅଧିକ ରହିବ ଓ ଏହାପରେ ଧିରେ ଧିରେ କମିବ । ଏହି ବନ୍ୟାରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ କଟକ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ବି ପୁରୀର ଦେବୀ ନଦୀ ଓ ଭାର୍ଗବୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି ଓ ସ୍ଥିତି ଉପରେ କଡା ନଜର ରଖିଛନ୍ତି ସରକାର ।