ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିବାକୁ ସିଏମଓକୁ ନିର୍ଦ୍ଦେଶ ଦେଇଥିଲି, ଏବେ ସୁଦ୍ଧା ୪୩୫୩୬ ଅଭିଯୋଗର ହୋଇଛି ସମାଧାନ ।
କନକ ବ୍ୟୁରୋ : ଜିଲ୍ଲାରୁ ଜିଲ୍ଲା ବୁଲି ସିଏମଓ ଲୋକଙ୍କ ଠାରୁ ଅଭିଯୋଗପତ୍ର ଆଣିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଯେଉଁ ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ନବୀନ କହିଛନ୍ତି, ମୋ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଏ । କୋଭିଡ ପୂର୍ବରୁ ଜନ ଶୁଣାଣି ଭୁବନେଶ୍ୱରରେ ହେଉଥିଲା । କିନ୍ତୁ ୨ ବର୍ଷର କୋଭିଡ ସ୍ଥିତି ଏଥିରେ ସମସ୍ୟା ସୃଷ୍ଟି କଲା । ଯେଉଁଥିପାଇଁ ସିଏମଓକୁ ଲୋକଙ୍କ ପାଖରେ ପହଞ୍ଚାଇ ଅଭିଯୋଗର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲି । ଯେଉଁଥିପାଇଁ ସିଏମଓର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲି । ସବୁ ବ୍ଲକ ଓ ସହରାଞ୍ଚଳରେ ପହଞ୍ଚି ସମସ୍ୟା ଶୁଣିବାକୁ କହିଥିଲି । ସମସ୍ତ ଜିଲ୍ଲାରେ ସିଏମଓ ପକ୍ଷରୁ ଜନ ଶୁଣାଣି କରାଯାଇଛି । ୬ ମାସ ମଧ୍ୟରେ ୧୯୦ଟି ସ୍ଥାନରେ ହୋଇଛି ଜନ ଶୁଣାଣି । ଏହି ସମୟରେ ମୋଟ ୫୭୪୪୨ଟି ଅଭିଯୋଗପ୍ରତ ସଂଗ୍ରହ କରାଯାଇଛି । ଯେଉଁମଧ୍ୟରୁ ୪୩୫୩୬ଟି ଅଭିଯୋଗର ସମାଧାନ ହୋଇଛି । ପୂରା ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ବିରୋଧୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହାକୁ ନେଇ ନବୀନ କହିଛନ୍ତି, ଏହି ପୂରା ପ୍ରକ୍ରିୟାରେ ସଚିବ ବନାମ ମନ୍ତ୍ରୀ ପ୍ରସଙ୍ଗ ଉଠୁନାହିଁ । କରୋନା ସମୟରେ ମଧ୍ୟ ସିଏମଓକୁ ପଠାଇ କରୋନା ପରିଚାଳନା କରିଥିଲୁ । କରୋନା ସମୟରେ ସିଏମଓର ଅଧିକାରୀ ଜୀବନକୁ ବାଜି ଲଗାଇ ଜିଲ୍ଲାରୁ ଜିଲ୍ଲା ବୁଲିଥିଲେ ଏବଂ ସେଠାରୁ ମିଳୁଥିବା ମତାମତ ଆଧାରରେ ତୁରନ୍ତ ପଦକ୍ଷେପ ନିଆଯାଇ ପାରୁଥିଲା । ଯାହାଦ୍ୱାରା ହଜାର ହଜାର ଲୋକଙ୍କର ଜୀବନ ବଞ୍ଚି ପାରିଥିଲା ।
ନବୀନ କହିଛନ୍ତି, ବିଭିନ୍ନ ଜିଲ୍ଲାରୁ ଆସୁଥିବା ଅଭିଯୋଗର ସମାଧାନ କ୍ଷେତ୍ରରେ ବିଭାଗୀୟ ମନ୍ତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଗାଣତନ୍ତ୍ରିକ ବ୍ୟବସ୍ଥାରେ ଟିମୱାର୍କ ଜରିଆରେ ଲୋକଙ୍କ ଅଭିଯୋଗର ସମାଧାନ କରିବା ହିଁ ଆମର ମୂଳ ଲକ୍ଷ୍ୟ । ଏହି ଅଭିଯୋଗପତ୍ର ଦାଖଲ କରିବାକୁ ଲୋକେ ଭୁବନେଶ୍ୱର ଆସିଥିଲେ ଖର୍ଚ୍ଚାନ୍ତ ହେବା ସହ ସମୟ ନଷ୍ଟ ହୋଇଥାନ୍ତା । ସିଏମଓ ଏହି ଅଭିଯୋଗପତ୍ର ଗ୍ରାଉଣ୍ଡକୁ ଯାଇ ଗ୍ରହଣ କରିବା ଦ୍ୱାରା ଲୋକଙ୍କ ସମୟ ବଞ୍ଚିବା ସହ ଖର୍ଚ୍ଚାନ୍ତ ହେବାରୁ ବଞ୍ଚିଥିଲେ ।
ସିଏମଓ ଜିଲ୍ଲାରୁ ଜିଲ୍ଲା ଗସ୍ତ ବେଳେ ହେଲିକପ୍ଟର ଖର୍ଚ୍ଚକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ସାଢେ ୩ ବର୍ଷ ମଧ୍ୟରେ ହେଲିକପ୍ଟର ଖର୍ଚ୍ଚ ବାବଦକୁ ୪୦ କୋଟି ଟଙ୍କା ଖର୍ଚ୍ଚ ହେଇଛି । ମାସିକ ୧ କୋଟି ୧.୫ କୋଟି ଟଙ୍କା ହେଲିକପ୍ଟର ଯାତ୍ରା ବାବଦକୁ ଖର୍ଚ୍ଚ ହୁଏ । ଗତ ୬ ମାସ ମଧ୍ୟରେ ବି ମାସିକ ସେହି ୧ରୁ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେଣୁ ହେଲିକପ୍ଟର ଯାତ୍ରାରେ ଅତ୍ୟଧିକ ଖର୍ଚ୍ଚ ହୋଇଥିବା ଖବର ସମ୍ପୂର୍ଣ୍ଣ ଭ୍ରାନ୍ତ ଓ ଅମୂଳକ ବୋଲି କହିଛନ୍ତି ନବୀନ ।ଯେତିକି ଅଭିଯୋଗପତ୍ର ଗ୍ରହଣ କରାଯାଇଛି ତାହା ଯଦି ସଡକପଥରେ ଯାଇ କରାଯାଇଥାନ୍ତା ତେବେ ଦେଢ ବର୍ଷ ସମୟ ଲାଗିଥାନ୍ତା । କାରଣ ପ୍ରତିଦିନ ୩ରୁ ୫ଟି ସ୍ଥାନରେ ଅଭିଯୋଗପତ୍ର ଗ୍ରହଣ କରାଯାଉଥିଲା ।ଯେହେତୁ ଲୋକଙ୍କ ସୁବିଧା ଦୃଷ୍ଟିରୁ ଦିନ ୧୦ଟାରୁ ୩ଟା ମଧ୍ୟରେ ସଭା ହେଉଥିଲା, ତେଣୁ ସଡକପଥରେ ଯାଇ ୩ରୁ ୫ଟି ସଭା କରିବା ସମ୍ଭବପର ନଥିଲା ।
ନବୀନ କହିଛନ୍ତି, ବିରୋଧୀ ଖୁସି ହେବା କଥା ଯେ ସେମାନଙ୍କ ନିର୍ବାଚନମଣ୍ଡଳୀର ଅନେକ ଅଭିଯୋଗ ଏହା ମଧ୍ୟରେ ସମାଧାନ ହୋଇଛି । ଲୋକଙ୍କ ସମସ୍ୟାର ସମାଧାନକୁ ଜଣେ କିପରି ବି ବିରୋଧ କରିପାରିବ । ଏଥିପାଇଁ ବିରୋଧୀଙ୍କୁ ଲୋକେ ଉଚିତ୍ ଜବାବ ଦେବେ । ଆମେ ସମସ୍ତେ ଜନସେବାରେ ଅଛୁ ତେଣୁୁ ଲୋକଙ୍କ ଅଭିଯୋଗ ଓ ସମସ୍ୟାକୁ ବୁଝିବା ଆମର ପ୍ରାଥମିକତା । କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଏମିତି କରନ୍ତୁନି ।