ଓଡ଼ିଶା କରୁଛି କରୋନା ମୁକାବିଲା । ମନରେଗା ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ତାଲାବନ୍ଦରେ ପ୍ରଭାବିତ ଶ୍ରମିକଙ୍କୁ ୨୧ ଦିନର ପାରିଶ୍ରମିକ ଦେବାକୁ ଦାବି ।

2,536

କନକ ବ୍ୟୁରୋ: ସାରା ଭାରତ କରୁଛି କରୋନା ମୁକାବିଲା । ଆଉ ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ ଜାରି ରହିଥିବାବେଳେ ଓଡ଼ିଶାର ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଲାବନ୍ଦ ବେଳେ ଯାତାୟତ ଠପ୍ ପଡ଼ିଛି ଆଉ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟଗୁଡ଼ିକ ବନ୍ଦ ରହିଥିବାରୁ ଏବେ ଶ୍ରମିକ ମାନଙ୍କ ରୋଜଗାର ମଧ୍ୟ ଅଟକି ଯାଇଛି । ତେଣୁ ମନରେଗା ଯୋଜନାରେ କାର୍ଯ୍ୟରତ ଥିବା ଓଡ଼ିଶାର ଶ୍ରମିକ ମାନଙ୍କୁ ତାଲାବନ୍ଦକୁ ଦୃଷ୍ଟିରେ ରଖି ସେମାନଙ୍କୁ ୨୧ ଦିନର ପାରିଶ୍ରମିକ ଦେବାକୁ ଚିଠି ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କରୋନା ଏବେ ବିଶ୍ୱ ମହାମାରୀ ଭାବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଆଉ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଓଡ଼ିଶାବାସୀ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ‘ଜନତା କର୍ଫ୍ୟୁ’ ହେଉ କିମ୍ବା ୨୧ ଦିନିଆ ଲକ୍ ଡାଉନ୍ ମୋ ସରକାର ସଚେତନତା ଏବଂ ସୁରକ୍ଷା ପାଇଁ ଲୋକଙ୍କ ସେବାରେ ରହିଛି । ହେଲେ ତାଲାବନ୍ଦ ସମୟରେ ଖାସ୍ କରି ଓଡ଼ିଶାର ୩୬ ଲକ୍ଷ ୧୦ ହଜାର ୭୯୭ ଜଣ ମନରେଗା ଶ୍ରମିକ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ତେଣୁ ସେମାନଙ୍କୁ ୨୧ ଦିନିଆ ପାରିଶ୍ରମିକ ପ୍ରଦାନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତୀ ନବୀନ ।