ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ନବୀନ କହିଲେ, ଆସନ୍ତା ଶିକ୍ଷାବର୍ଷଠୁ କୌଣସି ବିଳମ୍ବକୁ କରାଯିବନି ବରଦାସ୍ତ, ଠିକ୍ ସମୟରେ ପରୀକ୍ଷା ହେବା ଦରକାର ।

231

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକ ଠିକ୍‌ ସମୟରେ କରାଯିବା ଦରକାର । ସେହିପରି ପରୀକ୍ଷା ଫଳ ପ୍ରକାଶନ ମଧ୍ୟ ନିର୍ଦ୍ଧାରିତ ସମୟରେ ହେଲେ ଭଲ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷ ଠାରୁ କୌଣସି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ।

ନବୀନ କହିଛନ୍ତି, ବିଶ୍ୱବିଦ୍ୟାଳୟମାନଙ୍କୁ ପାଣ୍ଠିର କୌଣସି ପ୍ରତିବନ୍ଧକ ରହିବ ନାହିଁ । ସରକାର ସମସ୍ତ ସମ୍ଭାବ୍ୟ ଉପାୟରେ ବିଶ୍ୱବିଦ୍ୟାଳୟକୁ ସମର୍ଥନ କରିବେ । ବିଶ୍ୱବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ସରକାର ପାଣ୍ଠି ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗବେଷଣା ଓ ପ୍ରକାଶନ ପାଇଁ ଶିକ୍ଷକଙ୍କୁ ଉତ୍ସାହିତ କରାଯିବା ଆବଶ୍ୟକ । ଯେକୌଣସି ମୂଲ୍ୟରେ ଅନୁଶାସନ ରକ୍ଷଣାବେକ୍ଷଣ କରାଯିବା ଆବଶ୍ୟକ । ଅଣ-ଛାତ୍ର ଓ ଅନଧିକୃତ ବ୍ୟକ୍ତିଙ୍କ ଠାରୁ କ୍ୟାମ୍ପସକୁ ମୁକ୍ତ ରଖିବା ଜରୁରୀ । ବାହାର ଲୋକଙ୍କ ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।