ସହରାଞ୍ଚଳ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୧୦୦ କୋଟି ଟଙ୍କା ମଂଜୁର କଲେ ରାଜ୍ୟ ସରକାର; ଶ୍ରମିକ, ଗରିବ ଲୋକ ଓ ଦିନ ମଜୁରିଆଙ୍କ ପାଇଁ ମିଳିବ ଜୀବିକା; ପ୍ରତି ସପ୍ତାହରେ ହିତାଧିକାରୀଙ୍କ ଆକାଉଂଟକୁ ଯିବ ମଜୁରୀ ଟଙ୍କା

ଏପ୍ରିଲରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ଯାଏଁ କାମ ଚାଲିବ

1,570

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସହରାଂଚଳରେ ଶ୍ରମ ଭିର୍ତିକ କାମ ପାଇଁ ୧୦୦ କୋଟିର ପ୍ୟାକେଜ ମଂଜୁର କରିଛନ୍ତି ରାଜ୍ୟସରକାର । ଏହା ଦ୍ୱାରା ସାଢେ ୪ ଲକ୍ଷ ଶ୍ରମିକ ପରିବାର ଉପକୃତ ହେବେ । ପ୍ରତି ସପ୍ତାହରେ ହିତାଧିକାରୀଙ୍କ ଆକାଉଂଟକୁ ଯିବ ମଜୁରୀ ଟଙ୍କା ଯିବ । ୧୧୪ଟି ପୌରାଂଚଳ ଗରିବଙ୍କ ପାଇଁ ରୋଜଗାର ସୃଷ୍ଟି କରାଯିବ । ଶ୍ରମିକ, ଗରିବ ଲୋକ ଓ ଦିନ ମଜୁରିଆଙ୍କ ମିଳିବ ଜୀବିକା । ଏପ୍ରିଲ ଆରମ୍ଭରୁ ହୋଇ ସେପଟେମ୍ବର ମାସ ଯାଏ କାମ ଚାଲିବ । ମିଶନ ଶକ୍ତି ସହଭାଗିତାରେ କାର୍ଯ୍ୟକ୍ରମ ତ୍ୱରାନିତ ହେବ ।

କରୋନା ମୁକାବିଲା ପାଇଁ ରାଜ୍ୟରେ ଜାରି ରହିଥିବା ଲକଡାଉନ କଟକଣା ସମୟରେ  ସହରାଂଚଳର ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଅର୍ବାନ ଓ୍ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ ନାମକ ଏକ ଜରୁରୀକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟର ୧୧୪ଟି ପୌରାଂଚଳ ଗୁଡିକରେ ବାସ କରୁଥିବା ଶ୍ରମିକ, ଗରିବ ଲୋକ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି କରିବ ।

ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନା ଦ୍ୱାରା ସହରାଂଚଳରେ ଅନେକ ଶ୍ରମଭିତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିରେ ଡ୍ରେନ ଗୁଡିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ , ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନ ଗୁଡିକର ଉନ୍ନତୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଂଚଳର ସୌନ୍ଦର୍ଯ୍ୟକରଣ ସହିତ ଅନ୍ୟାନ୍ୟ ଶ୍ରମଭିତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ବଡ କଥା ହେଉଛି ଏହି ସମସ୍ତ କାମ ସମୟରେ ମଧ୍ୟ ସାମାଜିକ ଦୂରତ୍ୱ ଏବଂ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯିବ । ତେବେ ଏହି କାର୍ଯ୍ୟକ୍ରମ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।