ଦିନକ ପୂର୍ବରୁ ୫-ଟି ଅଧ୍ୟକ୍ଷ ଶୁଣିଥିଲେ ସମସ୍ୟା, ଦିନକ ପରେ କେରଡାଗଡ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ପୋଖରୀ ଉନ୍ନତିକରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

372

କନକ ବ୍ୟୁରୋ : ୫-ଟି ଅଧ୍ୟକ୍ଷ ଗତ ୧୮ ତାରିଖରେ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମସ୍ୟା ଶୁଣିବା ସହ ଜନସଭାରେ ଯୋଗ ଦେଇଥିଲେ । ସମସ୍ତ ସମସ୍ୟାକୁ ଯଥାଶୀଘ୍ର ପୂରା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ୫-ଟି ଅଧ୍ୟକ୍ଷ । କେନ୍ଦ୍ରାପଡା ଜିଲ୍ଲା ଗସ୍ତର ୨୪ ଘଣ୍ଟା ମଧ୍ୟରେ କେରେଡାଗଡର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ଓ ଉନ୍ନତିକରଣ କରାଯିବ ।

ଗତ ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ଏହି ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବାପରେ ଆଜି ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୨ଟି ଯାକ ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ୨ଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।