ମିଶନ୍ ଶକ୍ତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ମିଶନ୍ ଶକ୍ତିର ମା’ ମାନଙ୍କୁ ଅଧିକ ସରକାରୀ କାମ ଦେବାକୁ ନିର୍ଦ୍ଦେଶ ।

297

କନକ ବ୍ୟୁରୋ : ମିଶନ ଶକ୍ତି ମହିଳାଙ୍କ ଆର୍ଥିକ ସଶକ୍ତିକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମିଶନ ଶକ୍ତି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ । ମିଶନ ଶକ୍ତି କାର୍ଯ୍ୟକ୍ରମ ସହ ସହଯୋଗ ନେଇ ସେ ୨୦ଟି ବିଭାଗର ସମୀକ୍ଷା କରିଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆହୁରି ଦୃଢ଼ ଓ ପ୍ରଭାବୀ କରିବାରେ ଏହି ବିଭାଗମାନେ କିପରି ଅବଦାନ ଦେଇଛନ୍ତି, ବିଭାଗୀୟ ଅଧକାରୀଙ୍କ ଠାରୁ ଏକଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ପାରିଶ୍ରମିକ ବୃଦ୍ଧି କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ୟାଙ୍କ ସୁବିଧା ନ ଥିବା ୪୬୪୯ଟି ପଞ୍ଚାୟତରେ ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଟ ଭାବରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତି ଜରିଆରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଆଉ ଏଥିରେ ରାଜ୍ୟର ସବୁ ବିଭାଗ କିପରି ଅବଦାନ ଦେଇପାରିବେ କୁହାଯାଇଛି । ୨୦୧୯ରେ ସ୍ୱୟଂ ସହାୟକ ଗ୍ରୁପ ପାଇଁ ରାଜ୍ୟ ସରକାର ଏକ ୫ ବର୍ଷିଆ ଲକ୍ଷ୍ୟ ରଖିଥିଲେ । ଏହି ଅନୁସାରେ ଏସଏଚଜି ଗ୍ରୁପ ମାନଙ୍କ ଠାରୁ ୫ ବର୍ଷରେ ୫ ହଜାର କୋଟିର ଜିନିଷ କିଣିବାକୁ ଲକ୍ଷ୍ୟ ରଖାଯାଇଥିଲା ।୨୦୨୦-୨୧ରେ ରାଜ୍ୟର ବିଭିନ୍ନ ବିଭାଗ ରାଜ୍ୟର ୧ ଲକ୍ଷ ୪ ହଜାର ୭ ଶହ ୧୨ଟି ଏସଏଚଜିଙ୍କ ଠାରୁ ୧୧ଶହ ୯୮ କୋଟି ଟଙ୍କାର ଜିନିଷ କିଣିଛନ୍ତି । ଏହାଦ୍ୱାରା ସ୍ୱୟଂ ସହାୟକ ଗ୍ରୁପ ଗୁଡ଼ିକ ୨୯୬ କୋଟିର ଆୟ କରିଛନ୍ତି । ରାଜ୍ୟରେ ଏବେ ପ୍ରାୟ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି ।