ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା । ଜିଲ୍ଲାସ୍ତରରେ କଡାକଡି ହେବ କଟକଣା, ନାଇଟକର୍ଫ୍ୟୁ ନେଇ ହୋଇନି କୌଣସି ନିଷ୍ପତି । 

265

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା । ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ ଓ ଏସପିଙ୍କ ସହ ଆଲୋଚନା ପରେ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୀକ୍ଷା ବୈଠକ ପରେ ବିଭିନ୍ନ ଜିଲ୍ଲାରେ କରୋନା କଟକଣା କଡାକଡି ହେବ । ଖାସକରି ବଜାର, ଧର୍ମାନୁଷ୍ଠାନ ଓ ବିବାହ  ଉତ୍ସବ ଉପରେ ସରକାରଙ୍କର ଦୃଷ୍ଟି ରହିବ । କିନ୍ତୁ ନାଇଟ କର୍ଫ୍ୟୁକୁ ନେଇ ବୈଠକରେ କୌଣସି ନିଷ୍ପତି ହୋଇନଥିବା ନେଇ ସୂଚନା ମିଳିଛି ।

ଏହାବାଦ୍ ସମସ୍ତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ବଢିଲେ କଣ୍ଟେନମେଣ୍ଟ ଜେନା ବ୍ୟବସ୍ଥା କରିବାକୁ କୁହାଯାଇଥିବା ବେଳେ ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ ବୋଲି ସୂଚନା ମିଳିଛି । ଏସବୁ ଭିତରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବ ପୋଲିସ ।

ରାଜ୍ୟରେ ଆରଟିପିସିଆର ଟେଷ୍ଟ ସଂଖ୍ୟାକୁ ବଢାଇବା ଦିଗରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଏନେଇ ଜିଲ୍ଲାସ୍ତରରେ ଆବଶ୍ୟକ ହେଉଥିବା କର୍ମଚାରୀଙ୍କ ସଂଖ୍ୟା ବଢାଇବେ ସରକାର । ଏହାବାଦ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ ବାହାଘରରେ ୫ ଶହ ବଦଳରେ ୨ ଶହ ଲୋକ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଛି ।