ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ବଢିଲା ଲକଡାଉନ; ତାଲାବନ୍ଦ ଅବଧି ବୃଦ୍ଧି ସହ ୩୦ ଯାଏଁ ରେଳ/ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ରକୁ ସୁପାରିସ

4,100

କନକ ବ୍ୟୁରୋ: ଓଡିଶାରେ ବଢିଲା ଲକଡାଉନ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଏପ୍ରିଲ ୩୦ ଯାଏ ଜାରି ରହିବ ଲକଡାଉନ । ଏବଂ ଜୁନ ୧୭ ଯାଏ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏପରିକି ଏପ୍ରିଲ ୩୦ ଯାଏ ଳକଡାଉନ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ରାଜ୍ୟ କ୍ୟାବିନେଟ ପ୍ରସ୍ତାବ ଦେଇଛି ।  ଏପ୍ରିଲ ୩୦ ଯାଏ ଟ୍ରେନ, ବିମାନ ସେବା ବନ୍ଦ କରିବା ପାଇଁ ମଧ୍ୟ କେନ୍ଦ୍ରକୁ ସୁପାରିଶ କରାଯାଇଛି । ମଣିଷ  ଜୀବନ ଓ ଅର୍ଥନୀତି ମଧ୍ୟରେ ମଣିଷ ଜୀବନକୁ ରାଜ୍ୟ କ୍ୟାବିନେଟ ଅଧିକ ଗୁରୁତ୍ୱ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତାରେ କହିଛନ୍ତି । ତେବେ ଲକ ଡାଉନ ସମୟରେ ନରେଗା ଓ କୃଷି କାମ ଜାରି ରହିବ ।

ଭିଡିଓ ବାର୍ତ୍ତାରେ ନବୀନ ଆମେରିକାର ଉଦାହରଣ ଦେଇ କହିଛନ୍ତି ଆମେରିକାରେ  ୩ ହଜାରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷକୁ ବଢିଗଲା । ୯/୧୧ ଭଳି ଘଟଣାରେ ଏତେ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇନଥିଲା ବୋଲି ନବୀନ କହିଛନ୍ତି । କିନ୍ତୁ ସେଠାରେ ସବୁ ସ୍ଥାନରେ ଲକଡାଉନ କରାଯାଇନଥିଲା । ନବୀନ ତାଙ୍କ ଭିଡିଓ ବାର୍ତାରେ କହିଛନ୍ତି, ଏହି ଶତାଦ୍ଦୀରେ ସମଗ୍ର ମାନବ ଜାତି ପାଇଁ କରୋନା ବଡ ଶତ୍ରୁ ହୋଇ ଉଭା ହୋଇଛି । ତେଣୁ ସାହାସର ସହ ମୁକାବିଲା ପାଇଁ  ନବୀନ ଆହ୍ୱାନ ଦେଇଛନ୍ତି ।  ଏପଟେ ଖାଦ୍ୟ ନିରାପତା ଦୃଷ୍ଟିରୁ  ମାଲ ପରିବହନରେ କୌଣସି ବାଧା କରାଯିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି । ଓଡିଶା ବାହାରେ ଫସିରହିଥିବା ଓଡିଆ ଶ୍ରମିକଙ୍କ ଯତ୍ନ ନେବା ପାଇଁ  ସେ ସେସବୁ ରାଜ୍ୟକୁ ଅନୁରୋଧ କରାଯାଇଛି ।