ପିପିଲି ଟ୍ରିପଲ୍ ମର୍ଡର ଘଟଣାରେ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ମାଷ୍ଟରମାଇଣ୍ଡଙ୍କ ସହ ୬ ଜଣ ଗିରଫ, ରାଜ୍ୟବାସୀଙ୍କ ସୁରକ୍ଷା ମୋ ଦାୟିତ୍ୱ ।

229

କନକ ବ୍ୟୁରୋ : ପିପିଲି ହତ୍ୟାକାଣ୍ଡକୁ ନେଇ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ଗତ ୧୪ ତାରିଖରେ ପୁରୀ ଜିଲ୍ଲାର ସଦାନନ୍ଦପୁର ଗାଁ ରେ ୩ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ ଦୁର୍ବୃତ । ଏନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଏହି ନିର୍ମମ ହତ୍ୟାକାଣ୍ଡରେ ବର୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସତ୍ୟବାଦୀ ଥାନାରେ ଏତଲା ରୁଜୁ ପରେ ପୋଲିସ ତନାଘନା ଜୋରଦାର କରିଛି ।

ପିପିଲିି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି । ଏହି ହତ୍ୟାକାଣ୍ଡ ପରେ ଅଂଚଳରେ ଆଇନଶୃଙ୍ଖଳାକୁ ବଜାୟ ରଖିବାକୁ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଓ ଅଭିଯୁକ୍ତ ଗୋଟିଏ ଅଞ୍ଚଳର । ଦୀର୍ଘ ଦିନ ଧରି ଲାଗି ରହିଥିବା ଜମି ବିବାଦ ଓ ପାରିବାରିକ କଳି ପାଇଁ ଏହିପରି ହତ୍ୟାକାଣ୍ଡ ଘଟିଛି ।

ସଂଗଠିତ ଅପରାଧରେ ସଂପୃକ୍ତ ସମସ୍ତଙ୍କୁ ଗିରଫ ପାଇଁ ସ୍ପେଶାଲ ଡ୍ରାଇଭ୍ ଜରିଆରେ ପୋଲିସ ତନାଘନା କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବିବୃତିରେ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ମୋଟ୍ ଉପରେ ଶାନ୍ତ ରହିଛି । ରାଜ୍ୟର ସମସ୍ତ ନାଗରିକଙ୍କ ଧନ ଜୀବନର ସୁରକ୍ଷା ପାଇଁ ମୋ ସରକାର ପୁରା ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାପୂର୍ବରୁ ଗତକାଲି ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହ ଗରମ ହୋଇଥିଲା । ବିଧାନସଭା ଆରମ୍ଭରୁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲେ ବିଜେପି ବିଧାୟକ । ପ୍ରଶ୍ନକାଳ ବନ୍ଦ କରି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଅଡି ବସିଥିଲେ । ଗୃହରେ ହୋହଲ୍ଲା, ନାରାବାଜି କରିଥିଲେ । କେନ୍ଦ୍ରାପଡା ଗୁଳିକାଣ୍ଡ ଏବଂ ପିପିଲି ପଟ୍ଟନାଇକିଆ ଟ୍ରିପଲ ମର୍ଡର ଘଟଣା ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ତେବେ ଆଜି ଉକ୍ତ ଦୁଇଟି ପ୍ରସଙ୍ଗରେ ବିଧାନସଭାରେ ଆଜି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।