କନକ ବ୍ୟୁରୋ: ସ୍ଥାନ- ଲିଙ୍ଗରାଜ ମନ୍ଦିର ପରିସର । ସମୟ- ସନ୍ଧ୍ୟା । ବେକରେ ମହାଦେବଙ୍କ ଆଶିର୍ବାଦର ଉତ୍ତରୀୟ ପଡିଥିଲା । ଆଉ ଦର୍ଶନ ସାରି ଫେରି, ଗଣମାଧ୍ୟମକୁ ସମ୍ବୋଧିକ କରିବାକୁ ପ୍ରସ୍ତୁତ ହେଉଥିଲେ ମୁଖ୍ୟମନ୍ତ୍ରୀ । ହେଲେ ହଠାତ ସାମ୍ବାଦିକଙ୍କ ମନରେ ଉଙ୍କିମାରୁଥିବା ପ୍ରଶ୍ନ ଆଉ ଅପେକ୍ଷା ନକରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାହାରିଯାଇଥିଲା ।

Advertisment

ସାମ୍ବାଦିକଙ୍କ ପ୍ରଶ୍ନ ଥିଲା- ଚର୍ଚ୍ଚା ଚାଲିଛି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ? ଆପଣ କିନ୍ତୁ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରୁଛନ୍ତି ?

ବାସ୍ ଏଇ ପ୍ରଶ୍ନ ଶୁଣି, ମୁଖ୍ୟମନ୍ତ୍ରୀ ମୁରୁକି ହସିଥିଲେ । ଆଉ ହସି ହସି ଗୁଜବକୁ ଉଡାଇ ଦେଇଥିଲେ । କହିଥିଲେ, ଯେତେବେଳେ ନିର୍ବାଚନ ଥାଏ, ସେତେବେଳେ ମୋ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ନେଇ ଗୁଜବ ଆରମ୍ଭ ହୁଏ । ହେଲେ ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ମୁଁ ସଂପୁର୍ଣ୍ଣ ସୁସ୍ଥ ଅଛି ଓ ଖୁସି ଅଛି । ଲୋକଙ୍କ ସେବା କରିବା ପାଇଁ ମୁଁ ଅଛି । ଏହି ଗୁଜବ ହିଁ ବୁଝାଉଛି ବିଜେଡି ଭଲ ପ୍ରଦର୍ଶନ କରିବ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ମୁରୁକି ହସ ଗୁଜବକାରୀଙ୍କୁ ମୁହଁରେ ଶକ୍ତ ଚାପୁଡା ଭଳି ଲାଗିଥିବା ବେଳେ ଗୁଜବକୁ ହସରେ ଉଡାଇ ଦେଇଥିବା ମୁଖ୍ୟମନ୍ତ୍ରୀ ମହାଦେବଙ୍କ ମନ୍ଦିରକୁ କାରରୁ ଓହ୍ଲାଇ ଏକା ଚାଲିଚାଲି ଯାଇଥିଲେ ଏବଂ ପାହାଚ ସବୁ ଚଢି ମନ୍ଦିର ପରିସର ବୁଲିଥିଲେ । ଆଉ ଏହି ଦୃଶ୍ୟ ହିଁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଥିବା ଲୋକଙ୍କୁ ଚେତାଇ ଦେଇଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ଅସୁସ୍ଥ ନୁହେଁ ସୁସ୍ଥ ଅଛନ୍ତି, ଫିଟ୍ ଅଛନ୍ତି, ଖୁସି ଅଛନ୍ତି ।