କନକ ବ୍ୟୁରୋ :କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍. କେ. ସିଂହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳଚେର ଥର୍ମାଲ ପାୱାର ଷ୍ଟେସନକୁ ସମ୍ପ୍ରସାରଣ କରିବାକୁ ଚିଠି । TTPS ବନ୍ଦ ହେଲେ ସ୍ଥାନୀୟ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବ । ତେଣୁ TTPSର ଷ୍ଟେଜ୍-୩ ପ୍ରକଳ୍ପକୁ ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ ।
ମାର୍ଚ୍ଚ ୨୨ ତାରିଖ ଦିନ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ତାଳଚେର ଥର୍ମାଲ୍ ପାଓ୍ଵାର୍ ଷ୍ଟେସନ୍’ର ‘ଷ୍ଟେଜ୍-୩ ସମ୍ପ୍ରସାରଣ ପ୍ରକଳ୍ପ’କୁ ରାଜ୍ୟ ସରକାର ୨୦୨୦ ଫେବ୍ରୁଆରିରେ ଅନୁମୋଦନ କରିଛନ୍ତି । କିନ୍ତୁ, ‘ଏନ୍ଟିପିସି’ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରିନାହିଁ । ଏହାଛଡ଼ା, ୨୦୨୧ ମାର୍ଚ ୩୧ରୁ ‘ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର’କୁ ବନ୍ଦ କରିବାକୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ହଜାର ହଜାର ପରିବାର ଏବଂ ସ୍ଥାନୀୟ ଅର୍ଥନୀତି ଉପରେ ଭୀଷଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ପକାଇବ ।
‘ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର’ ହେଉଛି ଦେଶର ଅନ୍ୟତମ ସର୍ବପୁରାତନ ତାପଜ ବିଦ୍ୟୁତ୍ କେନ୍ଦ୍ର । ଓଡ଼ିଶା ସରକାରଙ୍କଦ୍ୱାରା ସ୍ଥାପିତ ଏହି ତାପଜ ବିଦ୍ୟୁତ୍ କେନ୍ଦ୍ରର ଷ୍ଟେଜ୍-୧ (୨୪୦ ଏମ୍ଡବ୍ଲୁ) ୧୯୬୮ରେ ଏବଂ ୧୯୮୨ରେ ଷ୍ଟେଜ୍-୨ (୨୨୦ଏମ୍ଡବ୍ଲୁ) ଚାଲୁ ହୋଇଥିଲା। ପରେ ୧୯୯୫ରେ ଏହା ‘ଏନ୍ଟିପିସି’ ଅଧୀନକୁ ଚାଲିଯାଇଥିଲା ।
୨୦୧୦ରେ ଏହି କେନ୍ଦ୍ରର ସାମର୍ଥ୍ୟ ସମ୍ପ୍ରସାରଣ ପାଇଁ ‘ଏନ୍ଟିପିସି’ ପ୍ରସ୍ତାବ ଦେଇ ୬୬୦ ମେଗାଓ୍ଵାଟ୍ବିଶିଷ୍ଟ ଦୁଇଟି ୟୁନିଟ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ୬୬୦ ମେଗାଓ୍ଵାଟ୍ ଲାଗି ରାଜ୍ୟ ପରିକଳ୍ପିତ ଏଜେନ୍ସି ‘ଗ୍ରିଡ୍କୋ ଲିମିଟେଡ୍’ ୨୦୧୦ ଡିସେମ୍ବରରେ ତୁରନ୍ତ ‘ପାଓ୍ଵାର୍ ପର୍ଚେଜ୍ ଏଗ୍ରିମଣ୍ଟେ୍’ ସ୍ୱାକ୍ଷର କରିଥିଲା । ତେଣୁ, ‘ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର’କୁ ବନ୍ଦ ନ କରି ଯଥାଶୀଘ୍ର ଏହାର ‘ଷ୍ଟେଜ୍-୩ ପ୍ରକଳ୍ପ’ କାର୍ଯ୍ୟକାରୀ କରିବା ନିମନ୍ତେ ‘ଏନ୍ଟିପିସି’କୁ ନିର୍ଦେଶ ଦେବା ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ଆବଶ୍ୟକ ସମସ୍ତ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/29-17.jpg)