ନିଟ୍ ଓ ଜେଇଇ ମେନ୍ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀ ସମୟରେ ନିରାପଦ ନୁହେଁ ପରୀକ୍ଷା ଆୟୋଜନ । ୭ଟି ସହର ବଦଳରେ ଓଡ଼ିଶାର ସବୁ ଜିଲ୍ଲାରେ ହେଉ ପରୀକ୍ଷା କେନ୍ଦ୍ର ।

514

କନକ ବ୍ୟୁରୋ: କରୋନା କାଳରେ ଚିନ୍ତା ବଢ଼ାଇଲା ନିଟ୍, ଜେଇଇ (ମେନ୍) । ପ୍ରବେଶିକା ଘୁଂଚାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ । କରୋନା ମହାମାରୀ ସମୟରେ ଜେଇଇ ମେନ୍ ଏବଂ ନିଟ୍ ଭଳି ପରୀକ୍ଷା ଆୟୋଜନ କରିବା ନିରାପଦ ନୁହେଁ ଏବଂ ଏଭଳି ସମୟରେ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା କେନ୍ଦ୍ର ଯିବା ନିରାପଦ ନୁହେଁ । ଏହି ମର୍ମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ରାଜ୍ୟରେ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଉଥିବା ବେଳେ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ଜେଇଇ (ମେନ୍) ପରୀକ୍ଷା ଦେବେ । ଏତେ ସଂଖ୍ୟକ ପିଲାଙ୍କ ପାଇଁ ଓଡ଼ିଶାରେ ମାତ୍ର ୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । ମହାମାରୀ ସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏକତ୍ରିତ ହେବା ବିପଦମୁକ୍ତ ନୁହେଁ । ତେଣୁ ନିଟ୍ ଓ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷାକୁ ଘୁଂଚାଇବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚିଠିରେ ମୁଖ୍ୟମନ୍ତ୍ରୀ ଆହୁରୀ ଲେଖିଛନ୍ତି କି, ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଓଡ଼ିଶାର ୩୦ଟି ଜିଲ୍ଲାରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଉ । ଯାହା ଫଳରେ ୨ରୁ ୩ ଘଂଟା ଭିତରେ ଛାତ୍ରଛାତ୍ରୀମାନେ ନିଜ ଘରୁ ପରୀକ୍ଷା କେନ୍ଦ୍ରରେ ପହଂଚିପାରିବେ । ଏପଟେ ଶିକ୍ଷାବିତ୍ କହିଛନ୍ତି-କୋଭିଡ୍ କଟକଣା ଭିତରେ ପରୀକ୍ଷା ହେବା ଆବଶ୍ୟକ । ନହେଲେ ପରବର୍ତୀ ସମୟରେ ଅସୁବିଧା ସୃଷ୍ଟି କରିବ ।

ପରୀକ୍ଷା ସୂଚୀ ଅନୁସାରେ ଏନଟିଏ ଯଥାକ୍ରମେ ସେପ୍ଟେମ୍ବର ୧ରୁ ୬ ଏବଂ ୧୩ ତାରିଖରେ ବୈଷୟିକ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା କରିବାକୁ ଯୋଜନା କରିଛନ୍ତି । କିନ୍ତୁ ବଡ଼ କଥା ହେଉଛି-ଚଳିତବର୍ଷ ହେବାକୁ ଥିବା ନିଟ୍ ଏବଂ ଜେଇଇ ମେନ୍ ଧାର୍ଯ୍ୟ ସୂଚୀ ଅନୁସାରେ କରିବାକୁ କହିଥିଲେ ସୁପ୍ରିମକୋର୍ଟ । ନିଟ୍ ଏବଂ ଜେଇଇ ମେନ୍ ପରୀକ୍ଷା ଆୟୋଜନ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଆବେଦନ ଖାରଜ କରିବା ସହ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ- କ’ଣ ଦେଶରେ ସବୁ କିଛି ବନ୍ଦ ହୋଇଯିବ? ଏଭଳି ଏକ ମୂଲ୍ୟବାନ ବର୍ଷକୁ କ’ଣ ନଷ୍ଟ କରିଦିଆଯିବ?