କନକ ବ୍ୟୁରୋ : ରାଜ୍ୟରେ ଆଉ ୮ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍ ଓ ପିଏସ୍ଏ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ରାୟଗଡ଼ା ଓ ମାଲକାନଗିରି। ପୂର୍ବରୁ ୧୫ଟି ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପାଇଁ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଏହାବାଦ୍ ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଞ୍ଜନଗରରେ ଡାଏଲିସିସ୍ ୟୁନିଟ, କୁକୁଡ଼ାଖଣ୍ଡି ବ୍ଲକ୍ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଦିଗପହଣ୍ଡି ବ୍ଲକ୍ରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦ୍ବିତୀୟ ଲହର ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲାର ପରିସ୍ଥିତିରେ ସ୍ଥିରତା ରହୁନାହିଁ। ସେହିପରି ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ତା’ସହିତ କିଛି ରାଜ୍ୟରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ମଧ୍ୟ ଦେଖାଦେଲାଣି। ତେଣୁ କୌଣସି ପରିସ୍ଥିତିରେ ଆମର ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା କରାଯାଇପାରିବନାହିଁ। ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର। ସରକାରଙ୍କ ପ୍ରସ୍ତୁତି, ଜନସାଧାରଣଙ୍କ ସତର୍କତା ଓ ସହଯୋଗ ଜରିଆରେ ହିଁ ଆମେ ଏ ଲଢ଼େଇ ଜିତିପାରିବା।