କନକ ବ୍ୟୁରୋ : ରାଜ୍ୟ ସରକାର ଏକ ଜନଶୁଣାଣି ପୋର୍ଟାଲ୍ ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ୍ ଜରିଆରେ ଜନସାଧାରଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନ୍ଲାଇନ୍ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏଥିରେ ୱେବ୍ସାଇଟ୍, ମୋବାଇଲ ଆପ୍, ୱେବ୍ ଚାଟ୍ବଟ୍, ହ୍ବାଟ୍ସ୍ଆପ୍, ଚିଠି ଏବଂ ଟୁଇଟର ଓ ଫେସ୍ବୁକ୍ ଆଦି ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଜରିଆରେ ଅଭିଯୋଗ ଦାଖଲ ହୋଇପାରିବ । ଏହି ଏକୀକୃତ ପୋର୍ଟାଲରେ ଅଭିଯୋଗକାରୀ ତାଙ୍କ ଅଭିଯୋଗର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ । ଏହା ବ୍ୟତୀତ ସେମାନଙ୍କୁ ଏସ୍ଏମ୍ଏସ୍ ଓ ହ୍ବାଟ୍ସ୍ଆପ୍ ଜରିଆରେ ମଧ୍ୟ ଅଭିଯୋଗର ଅଗ୍ରଗତି ସମ୍ପର୍କରେ ଜଣାଇ ଦିଆଯିବ। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଏହି ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଗୁରୁତ୍ବପୂର୍ଣ୍ଣ ୱେବ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଏହା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମିର ନୂଆ ୱେବ୍ ପୋର୍ଟାଲ ମଧ୍ୟ ଲୋକାର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ। ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସରକାରଙ୍କ ଠାରୁ ସେବା ପାଇବାର ସ୍ବାଧୀନତା ଲୋକଙ୍କୁ ଦିଆଯାଇପାରିଛି। ଏହି ନୂଆ ପୋର୍ଟାଲ ଦ୍ବାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍ଫର୍ମରେ ସହଜରେ ଅଭିଯୋଗ ଦାଖଲ କରିପାରିବେ ଓ ସରକାରଙ୍କ ବିଭାଗଗୁଡ଼ିକ ଅଭିଯୋଗର ତୁରନ୍ତ ପ୍ରତିକାର ପାଇଁ ପଦକ୍ଷେପ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଟେକ୍ନୋଲୋଜି ହେଉଛି ଆମର ମୁଖ୍ୟ ଆଧାର। ସରକାରଙ୍କ ବିଭିନ୍ନ ବିଭାଗ ନୂଆ ବୈଷୟିକ ଜ୍ଞାନ ଓ ଡିଜିଟାଲ ସେବା ଦ୍ବାରା ଲୋକଙ୍କୁ ବିନା କୌଣସି ଅସୁବିଧାରେ ସେବା ଯୋଗାଇ ଦେବା ପାଇଁ କାମ କରୁଛନ୍ତି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ଆଦି ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଏହି ଆପ୍ଲିକେସନ୍ର ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଏଥି ପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ପ୍ରଶଂସା କରିଥିଲେ । ସେହିପରି ଓଡିଆ ଭର୍ଚୁଆଲ ଏକାଡେମିର ନୂତନ ୱେବ୍ ପୋର୍ଟାଲରେ ଅନେକ ବିରଳ ପୁସ୍ତକ, ପାଣ୍ଡୁଲିପି, ଗେଜେଟ୍, ଡିକ୍ସିନାରି ଓ ପିଲାଙ୍କ ପାଇଁ ଲାଙ୍ଗୁଏଜ୍ ପ୍ରାଇମର ଆଦି ଓଡ଼ିଆ ସାହିତ୍ୟକୁ ଆହୁରି ଲୋକପ୍ରିୟ କରିବା ସହିତ ଦେଶ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଶା ସହ ଯୋଡ଼ି ରଖିବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ ।
ସୂଚନାଯୋଗ୍ୟ ଯେ ଏହି ଓଡ଼ିଆ ଭର୍ଚୁଆଲ ଏକାଡେମି ୨୦୧୮ ମସିହା ଅକ୍ଟୋବର ୨୬ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା ୨୭୦୦ ବିରଳ ପୁସ୍ତକକୁ ୟୁନିକୋଡ୍ ଫର୍ମାଟରେ ଡିଜିଟାଇଜ୍ କରାଯାଇ ୱେବ୍ପୋର୍ଟାଲରେ ରଖାଯାଇଛି। ଏହା ସହିତ ଦଶ ହଜାର ପୁସ୍ତକର ପିଡିଏଫ୍ ପ୍ରତିଲିପିକୁ ସଂରକ୍ଷିତ କରିବାର ପ୍ରକ୍ରିୟା ଜାରି ରହିଛି । ଏଥିରେ ପଞ୍ଚଦଶ ଶତାଦ୍ଦୀରୁ ଆରମ୍ଭ କରି ଏକବିଂଶ ଶତାଦ୍ଦୀ ପର୍ଯ୍ୟନ୍ତ ବିଶିଷ୍ଟ କବି, କଥାକାର, ଭାଷାବିତ୍ ଓ ଗବେଷକମାନଙ୍କର ସର୍ବଶ୍ରେଷ୍ଠ କୃତୀକୁ ସ୍ଥାନିତ କରାଯାଇଛି । ଓଡ଼ିଶା ଜନଜାତି ଶଦ୍ଦକୋଷ ଓ ଭାଷା ଶିକ୍ଷା ମଧ୍ୟ ସ୍ଥାନିତ ହୋଇଛି। ଏହା ସହିତ ପ୍ରଶାସନିକ ଶବ୍ଦକୋଷ, ପିଲାଙ୍କ ଶିକ୍ଷା ପାଇଁ ଆନିମେସନ ପଦ୍ଧତିରେ ଅଭିନବ ବର୍ଣ୍ଣବୋଧ, ଅଭିଭକ୍ତ ୧୩ଟି ଜିଲ୍ଲାର ରାଜପତ୍ର ମଧ୍ୟ ସ୍ଥାନିତ ହୋଇଛି । ଅପ୍ରକାଶିତ, ବିଲୁପ୍ତପ୍ରାୟ ଦୁର୍ଲଭ ପୁସ୍ତକ ଓ ପାଞ୍ଜିଗୁଡ଼ିକୁ ୱେବ୍ସାଇଟ୍ରେ ସ୍ଥାନିତ କରି ଏହି ପୋର୍ଟାଲକୁ ଆହୁରି ସମୃଦ୍ଧ କରିବା ପାଇଁ ପ୍ରୟାସ ଜାରି ରହିଛି ।
ଆଜିର କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି କେ ଜେନା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।