ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ । କହିଲେ ବିଚାର କରି ସରକାର ନେବେ ନିଷ୍ପତ୍ତି ।

873

କନକ ବ୍ୟୁରୋ: ଜାନୁଆରୀରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟ ପ୍ରସଙ୍ଗ । ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ସରକାର ଉଚିତ ନିଷ୍ପତ୍ତି ନେବେ । ତେବେ ଜାନୁଆରୀରେ ସ୍କୁଲ ଖୋଲିବା ନେଇ ଚିନ୍ତା କରାଯାଉଥିବା ଆଜି କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମୁଖତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ୧୦୦ ଦିନର ପାଠ ପଢ଼ାଇ ତା ପରେ ପରୀକ୍ଷା କରାଯିବ । ତେଣୁ ପର୍ବପର୍ବାଣୀ ଛୁଟି ଛାଡିଦେଲେ ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ ହେବ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ । ସେହିପରି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଥିଲେ ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଆଉ ଏବେ ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ।

ସେପଟେ ରାଜ୍ୟର କୋଭିଡ୍ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ପୂଜା ସମୟରେ ଥିବା ଆଶଙ୍କା ସଫଳତାର ସହ ଦୂରୀଭୂତ କରାଯାଇଛି । କୋଭିଡ ପରିଚାଳନାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଏହାକୁ ନୀତିଆୟୋଗ ବି ପ୍ରଶଂସା କରିଛି । ଦେଶରେ ଶୀଘ୍ର ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି । ଏଥିପାଇଁ ଓଡିଶାରେ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି । ଏନେଇ ଆନୁସଙ୍ଗୀକ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସମୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।