ନୂଆପଡ଼ାରେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଲୋୟର ଇନ୍ଦ୍ର ପ୍ରକଳ୍ପର ହେଲା ଶୁଭାରମ୍ଭ।

71

କନକ ବ୍ୟୁରୋ: ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ବିରାଟ ଜନସଭା ଇଙ୍ଗିତ କରୁଛି, ବିଜୁ ଜନତା ଦଳର ଫୋକସ ଏବେ ପଶ୍ଚିମ ଓଡିଶା ଆଡକୁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ୨ହଜାର ୩୩୭ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି । ଆଉ ନୂଆପଡା ଜିଲ୍ଲାର ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି ଯେ ବିଜେଡି ସରକାର ପାଇଁ ନୂଆପଡା ଗୁରୁତ୍ୱପୂର୍ଣ୍ଣ ।

୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନରେ ଆଶାନୁରୂପ ଫଳ ପାଇନଥିବା ବିଜେଡି ଏବେ କିନ୍ତୁ ଆସନ୍ତା ପଂଚାୟତ ଓ ପୌର ନିର୍ବାଚନକୁ ଆଉ ହାଲକା ଭାବେ ନେବ ନାହିଁ । ସେଥିପାଇଁ ନୂଆପଡାର ମୌଳିକ ୩ଟି ସମସ୍ୟା ପିଇବା ପାଣି, ଜଳସେଚନ ଓ ଯୋଗାଯୋଗ ଉପରେ ଫୋକସ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋୟର ଇନ୍ଦ୍ର ଜଳସଚେନ ପ୍ରକଳ୍ପର ଶୁଭାରମ୍ଭ । ନବୀନ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ସବୁଜିମା ସୃଷ୍ଟି ହୋଇପାରିଛି ଓ ବିକାଶର ନୂଆ ଇତିହାସ ଲେଖାଯାଇଛି ।

ଓଡିଶାର ପଛୁଆ ଜିଲ୍ଲା ଭିତରେ ଅନ୍ୟତମ ଏହି ନୂଆପଡା ଜିଲ୍ଲାର ଆଉ ଏକ ବଡ ସମସ୍ୟା ହେଉଛି ଫ୍ଲୋରାଇଡ ମିଶ୍ରିତ ପିଇବା ପାଣି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୫୫ ପ୍ରତିଶତ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇଦିଆଯାଇଛି ଓ ଏକ ହଜାରରୁ ଅଧିକ ଫ୍ଲୋରାଇଡ ରିମୁଭାଲ ପ୍ଲାଂଟ ସ୍ଥାପନ କରାଯାଇଛି । ନୂଆପଡା ଓ ଖଡିଆଳରେ ୨ଟି ଇନ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯିବ । ଏହାସହ ସ୍ୱାଧୀନତା ସଂଗ୍ରାମରେ ନୂଆପଡାର ଭାଗିଦାରୀ ପ୍ରଦର୍ଶିତ କରିବା ପାଇଁ ଭେଲାରେ ଏକ ସ୍ମାରକ ନିର୍ମାଣ କରିବାକୁ ବି ଘୋଷଣା କରିଛନ୍ତି ନବୀନ ।