ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଊପଲକ୍ଷେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା । ନବୀନ କହିଲେ, ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

99

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା  ହୋଇଛି ।  ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ କହିଛନ୍ତି,  ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା। ମହାତ୍ମା ଆଠଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ମୁଁ ଖୁସି ଯେ ବିଧାନସଭା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀକୁ ସ୍ମରଣ କରୁଛି। ମହାତ୍ମା ଗାନ୍ଧୀ ଓଡ଼ିଶାର ଅନେକ ସ୍ଥାନରେ ପଦଯାତ୍ରା କରିଥିଲେ, ଯାହାଫଳରେ ସେ ଓଡ଼ିଶାର ଲୋକଙ୍କ ହୃଦୟର ଅତି ନିକଟତର ହୋଇଥିଲେ। ତାଙ୍କର ଏହି ଗସ୍ତ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଦେବା ବ୍ୟତୀତ ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିଥିଲା।

୧୯୨୧ ମସିହାରେ ମହାତ୍ମା ଯେତେବେଳେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ସେତେବେଳେ ଓଡ଼ିଶା ଏକ ସ୍ବତନ୍ତ୍ର  ପ୍ରଦେଶ ନଥିଲା। ୧୯୩୬ ମସିହାରେ ଲକ୍ଷ ଲକ୍ଷ ଓଡ଼ିଆ ଭାଷାଭାଷୀ ଲୋକଙ୍କର ଆକାଂକ୍ଷା ବାସ୍ତବ ରୂପ ନେଇଥିଲା। ୧୯୪୬ ଜାନୁଆରିରେ ଗାନ୍ଧୀ ଶେଷ ଥର ପାଇଁ ଓଡ଼ିଶାକୁ ଆସିଥିଲେ, ସେତେବେଳେ ଭାଷାଭାଷୀ ପ୍ରଦେଶ ଭାବରେ ଓଡ଼ିଶା ପ୍ରାୟ ଏକ ଦଶନ୍ଧି ପୁରୁଣା ଥିଲା।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଏବଂ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମର ସଚିବାଳୟକୁ “ଲୋକସେବା ଭବନ” ଭାବରେ ନାମିତ କରିବା ଏକ ପ୍ରତୀକ ନୁହେଁ। ଏହା ଆମର ବିଶ୍ୱାସର କଥା।

ବିଶ୍ୱକୁ ଗାନ୍ଧୀ ଦର୍ଶନ ଏବଂ ତାଙ୍କ ବାର୍ତ୍ତା ଭାରତର ବିଶେଷ ଅବଦାନ। ଦେଶ ଏବେ ମହାମାରୀ କରୋନାରୁ ମୁକୁଳିବାକୁ ସଂଗ୍ରାମ ଚଳାଇଛି। ତେବେ ଗାନ୍ଧୀଜୀଙ୍କ ନୀତି ଅନୁସାରେ ଯଦି ଜନସଂଖ୍ୟାର ବଡ଼ ଭାଗ ଦାରିଦ୍ର୍ୟ ତଥା ଦୁର୍ବଳତା ଭିତରେ ବସବାସ କରନ୍ତି ତେବେ ଧନ ଏବଂ ଅଭିବୃଦ୍ଧିର କୌଣସି ମୂଲ୍ୟ ନାହିଁ। ବିଶ୍ୱରେ ବିଭାଜନ ବୃଦ୍ଧି ପାଉଥିବାରୁ ମହାତ୍ମା ଗାନ୍ଧୀଙ୍କ ଅହିଂସା ଅସ୍ତ୍ର ଆଜି ପୁଣି ଜରୁରୀ ହୋଇପଡ଼ିଛି ବୋଲି ବି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।