ସାବଧାନ ! ସଂକ୍ରମଣ ବଢୁଛି… କରନ୍ତୁନି ହେଳା, ରୁହନ୍ତୁ ସତର୍କ । କରୋନା ଯୁଦ୍ଧ ଲଢିବାକୁ ୩ ମନ୍ତ୍ର ଦେବା ସହ କଟକଣା ମାନିବାକୁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ…

1,557

କନକ ବ୍ୟୁରୋ: କରୋନା ଯୁଦ୍ଧ ଜିତିବାକୁ ୩ଟି ମନ୍ତ୍ର ଦେବା ସହ ସଂକ୍ରମଣରୁ କେମିତି ବର୍ତ୍ତିହେବ ସେନେଇ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ସାବଧାନତାର ସହ ଚଳିବାକୁ ପରାମର୍ଶ ଦେଇଛନ୍ତି ନବୀନ । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭାରତରେ ସଂକ୍ରମଣ ବଢୁଛି, ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି । ୪ ଦିନରେ ଆମ ରାଜ୍ୟରେ ସଂକ୍ରମଣ ୪ ହଜାର ଛୁଇଁଲାଣି । ତେଣୁ ଆଗକୁ ବର୍ଷା ଋତୁ ଆସୁଥିବାରୁ ସାବଧାନ ରହିବା ।

କରୋନା ପାଇଁ ଔଷଧ ନଆସିବା ଯାଏଁ ଜୀବନ କେବେବି ପୂର୍ବପରି ସ୍ୱାଭାବିକ ହେବନି । ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ପଡିବ । କରୋନା ନିୟମ ମାନିବାକୁ ପୁଣି ଅନୁରୋଧ କଲେ ନବୀନ । କହିଲେ ରାଜ୍ୟବାସୀ କଡାକଡି ଭାବେ ନିୟମ ପାଳନ କରନ୍ତୁ । ଅତି ଦରକାର ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁଠି ମାସ୍କ ବ୍ୟବହାର କରନ୍ତୁ । ସାମାଜିକ ଦୂରତା ମାନନ୍ତୁ । ବାରମ୍ବାର ସାବୁନରେ ହାତ ଧୁଅନ୍ତୁ । ଗହଳି କରନ୍ତୁ ନାହିଁ କି ଗହଳିକୁ ଯାଆନ୍ତୁ ନାହିଁ । ବୟସ୍କ ଏବଂ ଶିଶୁମାନଙ୍କର ଯତ୍ନ ନିଅନ୍ତୁ ।

ତେବେ କୋଭିଡ୍ ନିୟମ ଠିକ୍ ଭାବେ ମାନିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । କହିଲେ, ଆପଣ ସଂକ୍ରମିତ ହେଲେ ଆପଣଙ୍କ ବାପାମାଆ, ପିଲାଛୁଆ ସମସ୍ତଙ୍କର ସଂକ୍ରମଣ ଆଶଙ୍କା ବଢିବ । ତେଣୁ କେବେବି ହେଳା କରନ୍ତୁନି, ସାବଧାନ ରୁହନ୍ତୁ ।

ସେପଟେ ସଂକ୍ରମଣକୁ ପରାହତ କରିବାକୁ ୩ଟି ଅସ୍ତ୍ର ଓଡିଶାବାସୀଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତ୍ୟାଗ, ସଂଯମ ଓ ଶୃଙ୍ଖଳାର ପାଠ ପଢାଇ ସାରା ଓଡିଶାକୁ ମନ୍ତ୍ର ଦେଇଛନ୍ତି । ତେବେ ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି । କୋଭିଡ୍ ନିୟମ ମାନି କେମିତି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି । ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ । ଯେମିତି ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗର ବାର୍ତ୍ତା ଦେଲୋ ସେମିତି କରୋନା ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଗ୍ରହଣ କରିବାକୁ ହେବ । ଏହି ୩ ଅସ୍ତ୍ର ଆମକୁ କରୋନାରୁ ନିଶ୍ଚୟ ଜିତାଇବ ବୋଲି ନବୀନ ଦୃଢତାର ସହ କହିଛନ୍ତି ।