କନକ ବ୍ୟୁରୋ : ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକଙ୍କୁ ଏହି ଅବସରରେ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଜାତିର ସ୍ୱାଭିମାନଙ୍କୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ମିଳିତ ଉଦ୍ୟମକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ, ଓଡ଼ିଶାବାସୀଙ୍କୁ ଭିଡିଓ ବାର୍ତା ମାଧ୍ୟମରେ ଉକ୍ରଳ ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ମହାନ ପୁରୋଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାଷା ଭିତିରେ ଓଡ଼ିଶାକୁ ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବାରେ ଅନେକ ମହାପୁରୁଷଙ୍କର ତ୍ୟାଗ, ଉତ୍ସାହ ଓ ପ୍ରଚେଷ୍ଟା ଅବିସ୍ମରଣୀୟ । ଏହା ସହ ଗୌରବମୟ ଓଡ଼ିଶା ଇତିହାସରେ ବୀର ସଂଗ୍ରାମୀଙ୍କ ଅବଦାନକୁ ମନେପକାଇଛନ୍ତି । ରାଜ୍ୟର ବିକାଶ ପାଇଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠାର ବିଚାରକୁ ଆପଣାଇବା ଜରୁରୀ । ଓଡ଼ିଆ ଜାତିକୁ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ । ଏହା ସହ ଓଡ଼ିଆ ଭାଷାକୁ ଐତିହ୍ୟ ଭଳି ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି ।