୮୦ବର୍ଷର ଓଡିଶା ବଜେଟ୍- ଏକ ସ୍ମରଣୀୟ ପ୍ରକାଶନ: ପୁସ୍ତକ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ । କହିଲେ, ୮୦ ବର୍ଷରେ ହୋଇଛି ଓଡିଶାର ପ୍ରଗତି

40

କନକ ବ୍ୟୁରୋ: ୮୦ବର୍ଷର ଓଡିଶା ବଜେଟ୍- ଏକ ସ୍ମରଣୀୟ ପ୍ରକାଶନ । ୮୦ ବର୍ଷ ପୂର୍ତି ଅବସରରେ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ରହିଛି ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ନିଜର ଅସ୍ଥିତ୍ୱ ଜାହିର କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଅତିକ୍ରମ କରିଥିବା ୮୦ବର୍ଷରୁ ଉର୍ଦ୍ଧ ସମୟର ଆର୍ଥିକ ପରିଚାଳନା ଓ ବଜେଟର ତଥ୍ୟ । ପୁସ୍ତକ ଉନ୍ମୋଚନ ଅବସରରେ ନବୀନ କହିଛନ୍ତି ୮୦ ବର୍ଷରେ ଓଡିଶା ଅନେକ ପ୍ରଗତି କରିଛି । ରାଜ୍ୟ ସରକାର ଦାରିଦ୍ର୍ୟ ନିରାକରଣ କ୍ଷେତ୍ରରେ କାର୍ଯ୍ୟ କରୁଛି ।

୧୯୩୬ ମସିହାରେ ୧କୋଟି ୭୭ ଲକ୍ଷ ଟଙ୍କା ଥିବାବେଳେ ନବୀନ ପଟ୍ଟନାୟକ ୨ ହଜାର ମସିହାରେ ପ୍ରଥମେ ଦାୟିତ୍ୱ ନେବା ସମୟରେ ବଜେଟ୍ ପରିମାଣ ମାତ୍ର ୧୪ହଜାର କୋଟି ଟଙ୍କା ଥିଲା । କିନ୍ତୁ ୨୦୧୮ରେ ବଜେଟ୍ର ପରିମାଣ ବୃଦ୍ଧି ପାଇଁ ବଜେଟ୍ ୧ଲକ୍ଷ ୨୦ ହଜାର କୋଟିରେ ପହଁଚିଛି । ଏହି ପୁସ୍ତକଟି ବୁଦ୍ଧିଜୀବି ଓ ଆଇନ ପ୍ରଣେତାଙ୍କ ପାଇଁ ଅତି ଉପାଦେୟ ହେବ ବୋଲି କହିଛନ୍ତି ନବୀନ ।

ରାଜ୍ୟର ବଜେଟ୍ ରାଜ୍ୟବାସୀଙ୍କର ସାମଗ୍ରୀକ ଉନ୍ନତି ତଥା କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ତେଣୁ ବିଭିନ୍ନ ତଥ୍ୟ , ଚିତ୍ର ଓ ଉପାଖ୍ୟାନ ମାଧ୍ୟମରେ ଏହି ପୁସ୍ତକଟି ରାଜ୍ୟ ପ୍ରଗତିର ମନକୁ ଛୁଇଁଲାଭଳି ଚିତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ, ବିରୋଧୀଦଳ ନେତା ଓ ବହୁ ଅର୍ଥନୀତିଜ୍ଞ ଉପସ୍ଥିତ ଥିଲେ ।