କନକ ବ୍ୟୁରୋ : ଅଢ଼େଇ ବର୍ଷର ଅକ୍ଲାନ୍ତ ପରିଶ୍ରମ ଏବଂ ନିଷ୍ଠାର ସାର୍ଥକ ରୂପ ନେଇଛି । ଦେଶବାସୀଙ୍କ ସେବାରେ ଲୋକାର୍ପିତ ହୋଇଛି, ବହୁ ପ୍ରତିକ୍ଷୀତ କ୍ୟାନ୍ସସର ହସ୍ପିଟାଲ । ଆରୋଗ୍ୟ ପାଇଁ ସମର୍ପିତ ଏବଂ ଆଶା ଦ୍ୱାରା ଅନୁପ୍ରଣିତ, ଏହି ଆହ୍ୱାନ ନେଇ ଇନଫୋ ଭ୍ୟାଲିରେ ଛିଡ଼ା ହୋଇଛି, ୭୫୦ ଶର୍ଯ୍ୟା ବିଶିଷ୍ଟ ବିସ୍ତୃତ କର୍କଟ ଚିକିତ୍ସାଳୟ । ଏକାଧିକ ମହଲା ବିଶିଷ୍ଟ ଏହି ଡାକ୍ତରଖାନାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝଡ଼ଖଣ୍ଡ, ଛତିଶଗଡ଼ ଏବଂ ସାରା ଦେଶର କର୍କଟ ରୋଗୀ, ଚିକିତ୍ସା ସେବା ପାଇ ପାରିବେ । ବାଗଚୀ ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ, ସେବା ମନୋଭାବରେ ନିର୍ମାଣ ହୋଇଥିବା ଏହି ହସ୍ପିଟାଲରେ କର୍କଟ ରୋଗ ସମ୍ପର୍କିତ, ମେଡିକାଲ ଅଂକୋଲୋଜି, ରେଡିଏସନ୍ ଅଂକୋଲୋଜି, ସର୍ଜିକାଲ ଅଂକୋଲୋଜି ଭଳି ସମସ୍ତ ସେବା ଓ ସୁବିଧା ଉପଲବ୍ଧ ରହିଛି । ଏହି କର୍କଟ କେନ୍ଦ୍ରର ପରିକଳ୍ପନା ଓ ନିର୍ମାଣ ଦିଗରେ ସୁବ୍ରତ ବାଗଚୀଙ୍କ ବଦାନ୍ୟତାକୁ କେବଳ ଓଡ଼ିଶା କାହିଁକି ସାରା ଦେଶ ମନେ ରଖିବ ।
ଏକ ତଥ୍ୟ ଅନୁସାରେ, ସର୍ବାଧିକ କର୍କଟ ରୋଗୀ ଥିବା ରାଜ୍ୟ ଗୁଡ଼ିକ ତାଲିକାରେ ଓଡ଼ିଶା ରହିଛି । ଏକ ଦଶନ୍ଧୀ ମଧ୍ୟରେ ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ୨୨.୫% ବୃଦ୍ଧିପାଇଛି । ସେହିପରି କର୍କଟ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ୨୨.୬% ବୃଦ୍ଧି ପାଇଛି । ସର୍ବାଧିକ କର୍କଟ ରୋଗୀ ଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ୧୨ ନମ୍ବର । ଭୁବନେଶ୍ୱର ଏମ୍ସର ଏକ ତଥ୍ୟ ଅନୁସାରେ, ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ଓଡ଼ିଶାରେ ପ୍ରାୟ ୧୦୦ଜଣଙ୍କରେ କର୍କଟ ରୋଗ ଚିହ୍ନଟ ହେଉଛି । କର୍କଟ ରୋଗକୁ ନେଇ ଆସୁଥିବା ଏହି ସବୁ ପରିସଂଖ୍ୟାନ ଭିତରେ ବାଗଚୀ ଶ୍ରୀଶଙ୍କରା କର୍କଟ କେନ୍ଦ୍ର, ଏହି ରୋଗର ମୁକାବିଲା ଦିଗରେ କାମ କରିବ ।