ନୟାଗଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବିଜେଡି ପାଇଁ ପ୍ରଚାର ଆରମ୍ଭ କରିବେ ସୁପ୍ରିମୋ

142

କନକ ବ୍ୟୁରୋ: ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ମଧ୍ୟରେ ଆଜିଠାରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ ନିର୍ବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବା ପାଇଁ ପହଂଚିଛନ୍ତି ନବୀନ । ନୟାଗଡରେ ବିଶାଳ କର୍ମୀ ସମ୍ମିଳନୀରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ ଯୋଗ ଦେଇଛନ୍ତି । ଏହାସହ ବରିଷ୍ଠ ନେତା ଓ ସିନେ ତାରକା ବି ନିର୍ବାଚନି ମଇଦାନକୁ ଓହ୍ଳାଇବେ ।

ସେପଟେ, ଆଜି ଆସିପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରାର୍ଥୀ ଘୋଷଣା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରୀୟା ରଖିଛନ୍ତି । ଖୁବ୍ ଶୀଘ୍ର ବିଜେଡି ତାଲିକା ଆସିବ ବୋଲି ନବୀନ କହିଛନ୍ତି । ବିଜେଡି ପ୍ରଥମ ଦଫାରେ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ରାଜ୍ୟରେ ଆହୁରି ୧୨ ଲୋକସଭା ଓ ୯୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ । ଏପରିକି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୯ଟି ବିଧାନସଭା ଆସନ ପାଇଁ ବି ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ବିଜେଡି ।

ଏହି ଆସନ ଗୁଡିକ ହେଲା ଝରିଗାଁ, ବଲାଙ୍ଗିର, ବ୍ରଜରାଜନଗର, ମାଲକାନଗିରି, ବୀରମିତ୍ରପୁର, ଲୋଇସିଂହା, ଲାଞ୍ଜିଗଡ, ପଟାଙ୍ଗୀ ଓ ଫୁଲବାଣୀ । ଏହି ୯ ଆସନ ପାଇଁ ଆଜି ପ୍ରାର୍ଥୀତାଲିକା ଘୋଷଣା କରିପାରେ ବିଜେଡି । ପ୍ରଥମ ପର୍ଯ୍ୟାୟରେ ଝରିଗାଁ, ମାଲକାନଗିରି, ପଟାଙ୍ଗୀ ଓ ଲାଞ୍ଜିଗଡ ବିଧାନସଭା ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବିଶିଷ୍ଟ ଆସନ ରହିଛି । ବିଜେପି ବର୍ତମାନ ସୁଦ୍ଧା ୧୫ଟି ଲୋକସଭା ଓ ୧୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ୮ ଲୋକସଭା ଓ ଶହେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ।