କନକ ବ୍ୟୁରୋ : ଦିନିକିଆ ଗଂଜାମ ଗସ୍ତରେ ଯାଇ ପ୍ରାୟ ୫ ହଜାର କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶେରଗଡବାସୀଙ୍କ ବହୁଦିନର ଦାବି ପୂରଣ ହୋଇଛି । ଗଂଜାମ ଗସ୍ତବେଳେ ଶେରଗଡ ଯାଇ ଶେରଗଡ ପଂଚାୟତକୁ ବିଜ୍ଞାପିତ ଅଂଚଳ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଏହାସହ ଶେରଗଡ ବସଷ୍ଟାଣ୍ଡର ବି ଉଦଘାଟନ କରିଛନ୍ତି । ଏହି ଗସ୍ତବେଳେ ଶେରଗଡ ଓ ହିଞ୍ଜିଳି ପାଇଁ ୩ଶହ କୋଟିର ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଥିଲେ, ଗଂଜାମରୁ ହିଁ ଆରମ୍ଭ ହୋଇଥିଲା ସରକାରଙ୍କ ଫାଇଭ-ଟି ଅନ୍ତର୍ଗତ ବିକାଶମୂଳକ ପ୍ରକ୍ରିୟା ।
ଶେରଗଡ ପରେ ମୁଖ୍ୟମନ୍ତ୍ରୀ ଯାଇଥିଲେ ଶୀତଳାପଲ୍ଲୀ । ଏଠାରେ ସମ ହସପିଟାଲର ନୂଆ ୟୁନିଟକୁ ଉଦଘାଟନ କରିଥିଲେ । ପରେ ପାରଳା ମହାରାଜ ଇଂଜିନିୟରିଂ କଲେଜ ପଡିଆରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ।
-ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ଭିତ୍ତି ଭୂମି କ୍ଷେତ୍ରରେ ୩୯୮୨ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଭତ୍ତିପ୍ରସ୍ତର ସ୍ଥାପନ
-ଗୋପାଳପୁରରେ ଏ.ସି.ଏମ.ଇ, ଆଭାଡା ଗ୍ରୁପର ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆ ପ୍ରକଳ୍ପ ଶିଳାନ୍ୟାସ
-ଏହାଦ୍ୱାରା ୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ
-ଗୋପାଳପୁରରେ ‘ୟୁଟିଲିଟି କରିଡର’ର ନିର୍ମାଣ
ଏଠାରେ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ. ନିବେଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଉପସ୍ଥିତ ରହି ଲୋକଙ୍କ ସହ ବିଭିନ୍ନ ଯୋଜନା ସମ୍ପର୍କରେ ବାର୍ତାଳାପ କରିଥିଲେ । ଆଜିର ନବୀନଙ୍କ ଗଂଜାମ ଗସ୍ତକୁ ବିଜେଡିର ନିର୍ବାଚନ ବିଗୁଲ ବୋଲି କୁହାଯାଉଛି ।