ମୋ ସରକାରରେ ସାମିଲ ହେବ କୋଭିଡ ପରିଚାଳନା: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ରୋଗୀ ଓ କୋଭିଡ ଯୋଦ୍ଧାଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ

382

କନକ ବ୍ୟୁରୋ: ମୋ ସରକାରରେ ସାମିଲ ହେବ କୋଭିଡ ପରିଚାଳନା । ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ରୋଗୀ ଓ କରୋନା ଯୋଦ୍ଧାଙ୍କ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେମାନଙ୍କ ମତାମତ ସଂଗ୍ରହ କରିବାକୁ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ରୋଗୀଙ୍କ ପରିବାରକୁ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ତେବେ ମାର୍ଚ୍ଚ ୧୫ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା । ଏବେ ଏହି ସଂଖ୍ୟା ଆସି ୧୦ହଜାର ଟପିଛି । ରାଜ୍ୟରେ ପ୍ରଥମ ମାମଲା ମାର୍ଚ୍ଚ ୧୫ରେ ସାମ୍ନାକୁ ଆସିଥିବା ବେଳେ ଶହେ ତମ ମାମଲା ୨୫ଏପ୍ରିଲରେ ଚିହ୍ନଟ ହୋଇଥିଲା । ଏହାପରେ ମେ’ ୧୨ତାରିଖରେ ରାଜ୍ୟରେ ୫ଶହ ହୋଇଥିଲା ସଂକ୍ରମିତଙ୍କ ସଂଖ୍ୟା । ମେ’ ୧୯ତାରିଖରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାରରେ ପହଂଚି ଯାଇଥିଲା । ତେବେ ପ୍ରଥମ ମାମଲାରୁ ସଂକ୍ରମିତଙ୍କ ସଂଖ୍ୟା ହଜାରେ ହେବା ପାଇଁ ୬୪ଦିନ ଲାଗିଥିଲା । ଏହାର ୧୨ଦିନ ପରେ ଅର୍ଥାତ ମେ’ ୩୧ରେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ପହଂଚିଥିଲା । ୮ଦିନ ପରେ ଅର୍ଥାତ ଜୁନ୍ ୮ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଥିଲା ।

ଏହାପରେ ୭ଦିନ ପରେ ଜୁନ୍ ୧୫ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୧ହାଜର ବଢି ୪ହଜାରରେ ପହଂଚିଥିଲା । ମାତ୍ର ୬ଦିନ ପରେ ଜୁନ୍ ୨୧ତାରିଖରେ ରାଜ୍ୟରେ ମୋଟ୍ ୫ହଜାର ସଂକ୍ରମିତ ଚିହ୍ନଟ ହୋଇସାରିଥିଲେ । ପୁଣି ୬ଦିନ ପରେ ଜୁନ୍ ୨୭ରେ ପଜିଟିଭ ସଂଖ୍ୟା ୬ହଜାର ଟପିଥିଲା । ଏହାର ୪ଦିନ ପରେ ଜୁନ୍ ୩୦ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଥିଲା ୭ହଜାର । ଏହାର ମାତ୍ର ଦୁଇ ଦିନ ଭିତରେ ଜୁଲାଇ ୩ରେ ରାଜ୍ୟରେ ଆହୁରୀ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ପହଂଚିଲା ୮ହଜାରରେ । ତେବେ ଜୁଲାଇ ୫ରେ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ହୋଇଥିବା ବେଳେ ଜୁଲାଇ ୭ଅର୍ଥାତ ଆଜି ଏହି ସଂଖ୍ୟା ୧୦ହଜାର ଟପିଛି ।