କଳାହାଣ୍ଡି ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ; ୫୪ ପ୍ରକଳ୍ପର ଉଦଘାଟନ ଓ ୫୨ ପ୍ରକଳ୍ପର ହେବ ଶିଳାନ୍ୟାସ

ଦ୍ରୁତ ବିକାଶ ପଥରେ ଆଗେଇବ ଜିଲ୍ଲା

86

କନକ ବ୍ୟୁରୋ: କଳାହାଣ୍ଡି ଅଭିମୁଖେ ବାହାରିଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ସକାଳ ୯ଟା ୪୫ ମିନିଟରେ ନବୀନ ନିବାସରୁ ବାହାରିଲେ ମୁଖ୍ୟମନ୍ତ୍ରୀ । ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ସକାଳ ୯ଟା ୫୫ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଅଭିମୁଖେ ଯାତ୍ରା କରିଛନ୍ତି । ଦିନ ୧୧ଟା ୨୫ ମିନିଟରେ କଳାହାଣ୍ଡିର ଜୟପାଟଣା ବ୍ଲକ କନକପୁର ଠାରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ ମୁଖ୍ୟମନ୍ତ୍ରୀ । ଏହାପରେ ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ସଭାକାର୍ଯ୍ୟ ଶେଷ କରି ଭୁବନେଶ୍ୱର ଫେରି ଆସିବେ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦ୍ଘାଟନ ହେବ ଏବଂ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରାଯିବ । ସେଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପ । ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ ।

ଏହାସହ ଜୟପାଟଣା ସମାବେଶରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ବାର୍ତା ପ୍ରତି ପଂଚାୟତ ଓ ଗାଁରେ ପହଁଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୬୫ରୁ ଅଧିକ ବିଧାୟକ ଓ ୧୦ରୁ ଅଧିକ ମନ୍ତ୍ରୀ କଳାହାଣ୍ଡିରେ ଡେରା ପକାଇଛନ୍ତି । ସେହିପରି କେସିଙ୍ଗାରେ ମଡେଲ ବସ୍ତିର ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ଏହା ରାଜ୍ୟର ପ୍ରଥମ ମଡେଲ ବସ୍ତି ହେବ । ୪୪ଟି ପରିବାର ଏଠାରେ ରହିବେ । କମ୍ୟୁନିଟି ହଲ୍ ଠାରୁ ଆରମ୍ଭ କରି ଲୋକଙ୍କ ପାଇଁ ଏଠାରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।