ବିଜୁ ସ୍ମାର୍ଟ ହେଲ୍ଥ କାର୍ଡରେ ଯୋଡି ହେଲା ବାଲେଶ୍ୱର : ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ଼ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତାର ସ୍ଥାପନ କାର୍ଯ୍ୟକ୍ରମ

115

କନକ ବ୍ୟୁରୋ : ବିଜୁ ସ୍ମାର୍ଟ ତାଲିକାରେ ଯୋଡ଼ି ହେଲା ବାଲେଶ୍ୱର । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ଜଣ ପରିବାର ଉପକୃତ ହେବେ । ଏହା ସହ ବାଲେଶ୍ୱରବାସୀଙ୍କୁ ୧୪୭୬ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩୭୬ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ସହ ୧୧୦୦ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୬୦୦ ମିଶନ ଶକ୍ତିର ମା’ମାନେ ମାଛ ଚାଷରେ ସାମିଲ୍ ହୋଇଛନ୍ତି । ଏହା ଖୁସିର କଥା । ମିଶନ ଶକ୍ତିର ମା’ମାନଙ୍କୁ ଅଧିକ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଦେଶରେ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଓଡିଶା ପ୍ରଥମ । ସ୍ମାର୍ଥ ହେଲ୍ଥ କାର୍ଡ ଆପଣମାନଙ୍କ ଦୁଃଖ ଦୂର କରିବ । କାର୍ଡ ଥିଲେ ଅସୁସ୍ଥମାନେ ବିନା ଅର୍ଥରେ ଚିକିତ୍ସିତ ହୋଇପାରିବେ । କାର୍ଡ ଜରିଆରେ ଲକ୍ଷ ଲକ୍ଷ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟର୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ଏହି ନୂଆ ବ୍ୟବସ୍ଥାରେ ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡିବନି । କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ । ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡିଗଲେ ଚିନ୍ତା ବଢିଯାଏ । କାରଣ ଚିକିତ୍ସା ପାଇଁ ଟଙ୍କା ଚିନ୍ତା ବଢାଇଥାଏ । ଏଥିପାଇଁ କିଏ ଜମି ବିକେ, କିଏ ପୁଣି ସୁନା ଗହଣା ବନ୍ଧା ପକାଏ । ଏପରିକି ଚିକିତ୍ସା ଖର୍ଚ୍ଚ ପାଇଁ କେହି କେହି ପିଲାଙ୍କର ପାଠପଢା ମଧ୍ୟ କରିଥାନ୍ତି । ଆଉ ଏକଥା ଜାଣିବା ପରେ ମୋତେ ବହୁତ ଦୁଃଖ ଲାଗିଲା । କିନ୍ତୁ ଏବେ ଏହି ସ୍ମାର୍ଟ କାର୍ଡ ଦୁଃଖ ଲାଘବ କରିବ । ରାଜ୍ୟବାସୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି । ତେଣୁ ଚିକିତ୍ସା ବାବଦ ଟଙ୍କାକୁ ସଞ୍ଚୟ କରିବା ସହ ପିଲାଙ୍କ ପାଠପଢା ଓ ଘର ପିଛା ଖର୍ଚ୍ଚ କରିପାରିବେ । ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ, ସେ ଚାଷୀ ହେଉ କି ମୂଲିଆ ହେଉ କି ଛୋଟ ଦୋକାନୀ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନହେଉ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି ନବୀନ କହିଛନ୍ତି ।