କନକ ବ୍ୟୁରୋ : ଟିକାକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ କେବଳ ଟିକାକରଣ ହିଁ ଲୋକଙ୍କୁ ସୁରକ୍ଷିତ ରଖିପାରିବ । ଟିକାକରଣ ପ୍ରାଥମିକତା ନ ପାଇଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । ଏଭଳି ସ୍ଥଳେ କେନ୍ଦ୍ର ଟିକା ସଂଗ୍ରହ କରି ରାଜ୍ୟ ଗୁଡିକୁ ଯୋଗାଇବାକୁ ଯୁକ୍ତି ପୁଣିଥରେ ଦୋହରାଇଛନ୍ତି ନବୀନ । ଯାହାଦ୍ୱାରା ସମସ୍ତଙ୍କର ଟିକାକରଣ ଅତିଶୀଘ୍ର ହୋଇପାରିବ ।

Advertisment

ଟିକା ପାଇଁ ରାଜ୍ୟ ଗୁଡିକ ପ୍ରତିଯୋଗିତା ନହେଉ । ଲୋକଙ୍କ ସୁରକ୍ଷା ଓ କିଭଳି ସମସ୍ତେ ଟିକା ପାଇବେ ସେ ଉପରେ ଗୁରୁତ୍ୱ ଦିଆଯାଉ । କେନ୍ଦ୍ର ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କୁ ଟିକା ଦେବାକୁ ଘୋଷଣା କରିବା ପରେ ଟିକାର ଯଥେଷ୍ଟ ଚାହିଦା ବଢିଛି । ଏଥିପାଇଁ ଅଧିକାଂଶ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଉପରେ ଗୁରୁତ୍ୱ ଦେଇଥିଲେ । କିନ୍ତୁ ବିଦେଶୀ କମ୍ପାନି ଗୁଡିକ ସିଧାସଳଖ କେନ୍ଦ୍ରର କ୍ଲିୟରାନ୍ସ ଚାହୁଁଛନ୍ତି । ଯାହାଦ୍ୱାରା ବିଦେଶ କମ୍ପାନି ଗୁଠିକ ରାଜ୍ୟ ସହ ଟିକା ଚୁକ୍ତି କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏଭଳି ସ୍ଥଳେ ଘରୋଇ ଟିକା ରାଜ୍ୟ ଗୁଡିକ ପାଇଁ ଯଥେଷ୍ଟ ହେଉନାହିଁ । ଟିକାକରଣ ନିୟମରେ ଆବଶ୍ୟକୀୟ ପରିବର୍ତ୍ତନ ପାଇଁ ରାଜ୍ୟ ଗୁଡିକୁ କେନ୍ଦ୍ର ଅନୁମତି ଦେଉ । ସ୍ଥଳ ବିଶେଷରେ ସ୍ଥିତିର ଅନୁଧ୍ୟାନ କରି ନିୟମ କୋହଳ କରି ଟିକା ପାଇଁ ରାଜ୍ୟ ଗୁଡିକୁ ଅନୁମତି ମିଳୁ । ଆଉ ଏଥିପାଇଁ ରାଜ୍ୟ ଗୁଡିକ ଭିତରେ ସହମତି ହେଉ ।

ନବୀନ କହିଛନ୍ତି, ଏ ବାବଦରେ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଛି । ତେଣୁ ଅନ୍ୟ ରାଜ୍ୟ ମାନେ ମଧ୍ୟ ଏ ଦିଗରେ ଆଗେଇ ଆସିଲେ ସମସ୍ୟାର ସମାଧାନ ହୋଇପାରିବ । ତୃତୀୟ ଲହର ଆସିବା ପୂର୍ବରୁ ଆମକୁ ଏ ବାବଦରେ ନିଷ୍ପତି ନେବାକୁ ପଡିବ । ସ୍ୱାଧୀନତା ସଂଗ୍ରାମ ପରେ କରୋନା ସବୁଠାରୁ ବଡ ଆହ୍ୱାନ ଭାବେ ଆମ ଆଗରେ ଛିଡା ହୋଇଛି । କିନ୍ତୁ ବାଦବିବାଦ ଛାଡି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକାଠି ହେବାକୁ ପଡିବ ବୋଲି କହିଛନ୍ତି ନବୀନ ।