ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ । ରାଜ୍ୟକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦେବାକୁ କଲେ ଅନୁରୋଧ

307

କନକ ବ୍ୟୁରୋ : ଟିକା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଚାହିଦା ମୁତାବକ ରାଜ୍ୟକୁ ଟିକା ମିଳୁନଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏଥିସହ ବିଶ୍ୱସ୍ତରରେ ସ୍ୱୀକୃତି ପାଇଥିବା କରୋନା ଟିକାଗୁଡିକର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଚିଠିରେ ଲେଖିଛନ୍ତି । ଭାରତରେ ଟିକା ଉତ୍ପାଦନ ପାଇଁ ଯଥେଷ୍ଟ କ୍ଷମତା ରହିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ଟିକା ଉତ୍ପାଦନ ସଂସ୍ଥାକୁ ସହାୟତା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେବାକୁ କହିଛନ୍ତି । ସର୍ବାଧିକ କରୋନା ସଂକ୍ରମିତ ସହର ଗୁଡିକୁ ପ୍ରାଧାନ୍ୟ ଦିଆଯାଉ । ରାଜ୍ୟଗୁଡିକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦିଆଯାଉ । ଯାହାଦ୍ୱାରା କରୋନା ସହ ଲଢିବାରେ ଶକ୍ତି ମିଳିବ । ଏହା ସହ ଓଡିଶାରେ ଟିକା ନେବା ପାଇଁ ଲୋକେ ଆଗ୍ରହୀ ଅଛନ୍ତି । ମାତ୍ର ଟିକା ଉପଲବ୍ଧ ନଥିବାରୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।
ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ସଂକ୍ରମଣ ଦିନକୁ ଦିନ ବଢୁଛି, ଯହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ରାଜ୍ୟରେ କରୋନା କଟକଣା ଜାରି କରାଯାଇଛି । ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି । କିନ୍ତୁ ଅପର ପକ୍ଷରେ ରାଜ୍ୟରେ ଟିକାର ଅଭାବ ଚିନ୍ତା ବଢାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି