ଟୋକିଓ ଅଲିମ୍ପିକ୍ସରେ ମେଡାଲ ଜିତିଲେ ମିଳିବ ପୁରସ୍କାର : ସ୍ୱର୍ଣ୍ଣପଦକ ଆଣିଲେ ୬ କୋଟି, ରୌପ୍ୟ ଆଣିଲେ ୪ କୋଟି ଓ ବ୍ରୋଞ୍ଜ ଆଣିଲେ ୨.୫ କୋଟି; ଭାଗ ନେଇଥିବା ଓଡିଆ ପ୍ରତିଯୋଗୀଙ୍କୁ ମିଳବ ୧୫ ଲକ୍ଷ ଟଙ୍କା

114

କନକ ବ୍ୟୁରୋ : ଅଲମ୍ପିକ୍ସି ପଦକ ବିଜେତା ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଲେ ୬ କୋଟି ଟଙ୍କା , ରୌପ୍ୟ ପଦକ ଜିତିଲେ ୪ କୋଟି ଟଙ୍କା ଓ କାଂସ୍ୟ ପଦକ ଜିତିଲେ ୨.୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ଏହା ସହିତ ଅଲମ୍ପିକ୍ସି ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ୍ସ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ଘୋଷଣା କରିଥିଲେ ।

ଜୁଲାଇ ୨୩ ତାରିଖରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଛି । ଓଡ଼ିଶାରୁ ହକିରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ୍ ଗ୍ରେସ୍‌ ଏକ୍କା, ଆଥଲେଟ୍‌ ଦୂତି ଚାନ୍ଦ, ପାରା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତଙ୍କ ସହ ମହିଳା ହକି ଦଳର ସଂରକ୍ଷିତ ଖେଳାଳି ଭାବେ ନମିତା ଟପ୍ପୋ ଟୋକିଓ ଯାଉଛନ୍ତି । ଗୁରୁବାର ଏହି ଅଲିମ୍ପିଆନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ‘‘ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ୍ସ ହେଉଛି ଜୀବନର ଶ୍ରେଷ୍ଠ ସ୍ବପ୍ନ । ତୁମେମାନେ ଓଡିଶାର ଯୁବ ସମାଜ ପାଇଁ ଆଦର୍ଶ ପାଲଟିଯାଇଛ। ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ । କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ବାରା ତୁମେମାନେ ନିଶ୍ଚୟ ପଦକ ଜିତିବ’’।