ଦୀପାବଳି : ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

99

କନକ ବ୍ୟୁରୋ : ଦୀପାବଳି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ମା’ କାଳୀଙ୍କ ପୂଜା ଓ ଦୀପାବଳିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ସାବଧାନତା ଓ ସତର୍କତା ବଜାୟ ରଖି ଉତ୍ସବରେ ସାମିଲ ହୁଅନ୍ତୁ । ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ।

ସେପଟେ, ସବୁଜ ବାଣ ଫୁଟାଇବାକୁ ଅନୁମତି ମିଳିଥିଲେ ବି ବଜାରରେ ଏହି ବାଣ ପାଇବା ମୁସକିଲ ହୋଇଯାଇଛି । ରାଜ୍ୟର ପ୍ରାୟ ଅଧିକାଂଶ ବଡ ବାଣ ବଜାର ବନ୍ଦ ରହିଛି । ସବୁଜ ବାଣ ଯଦି ବି କେଉଁଠୁ ମିଳିଗଲା, ତାର ଦର ଅମୂଲମୂଲ ହୋଇଛି । ହାତ ମାରିବା ମୁସକିଲ ହୋଇପଡିଛି । ଅନ୍ୟପଟେ ପାରମ୍ପରିକ ବାଣ ଓ ରାସାୟନିକ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଯୋଗୁଁ ଦୀପାବଳିରେ ଦୀପ ଓ ଲାଇଟର ଚାହିଦା ବଢ଼ିଛି ।

କିନ୍ତୁ ଦୀପର ଦର ବି ଅଧିକ ରହିଛି । ଦୀପ ଗୋଟି ୫ଟଙ୍କାରୁ ଶହେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ସେହିପରି ଦୀପ ଜାଳିବା ପାଇଁ ବିକ୍ରି ହେଉଥିବା ତେଲ ଦର ବି ବଢ଼ିଛି । ଦୀପାବଳି ପାଇଁ ଗ୍ରାହକ ଏବେ ଚଢ଼ା ଦରରେ ଘିଅ ଓ ତେଲ କିଣିବାକୁ ବାଧ୍ୟ ହେଉଛନ୍ତି । ଜଡା ତେଲ ଲିଟର ପିଛା ୧୭୦ ଟଂକାରେ ବିକ୍ରି ହେଉଛି । ସେହିପରି ବନସ୍ପତି ଘିଅ ଲିଟର ୬ଶହ ଟଙ୍କା ହୋଇଛି ।