ଆଜି ଅପରାହ୍ନରେ ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସାଢେ ୫ଟାରେ ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି, କରିବେ ସମୀକ୍ଷା ।

145

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବଳଗୋଟାଇବା ସହିତ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ମୁହାଁ ହୋଇଛି । ଆଉ ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି ଓଡିଶା । ଚାରିଆଡେ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଥିବାବେଳେ ଆଜି ଅପରାହ୍ନ ସାଢେ ୫ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି, ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ଏହାପୂର୍ବରୁ ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସହିତ ବାତ୍ୟା ମୁକାବିଲା କରିବାକୁ ଓଡିଶା ପ୍ରସ୍ତୁତ ଅଛି ବୋଲି କହିଥିଲେ । ସମସ୍ତେ ଏକାଠି ଲଢିଲେ ଆମେ ନିଶ୍ଚୟ ୟାସକୁ ମାତ୍ ଦେଇପାରିବା ବୋଲି ସେ କହିଥିଲେ । ଏଥିସହ କରୋନା ସମୟରେ ବାତ୍ୟା ଡବଲ ବିପଦ ହୋଇଆସିଛି । ତେଣୁ ସମସ୍ତେ ଏହି ସମୟରେ ଦୁଇଟି ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ଅନ୍ୟପଟେ ଏବେ ସମୁଦ୍ର ଭିତରେ ପ୍ରବଳ ବାତ୍ୟାର ରୂପ ନେଇସାରିଛି ୟାସ୍ । ଓଡିଶାର ଧାମରା ଓ ଚାନ୍ଦବାଲି ନିକଟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଲାଣି । କିଛି ଅଞ୍ଚଳରେ ବର୍ଷା ସହ ପବନ ବହିବା ମଧ୍ୟ ଆରମ୍ଭ ହୋଇଗଲାଣି ।