ବାଲେଶ୍ୱରରେ ‘ବିଜେପୁର’ ଫଣ୍ଡା । ବିଜେପୁର ଭଳି ବିକାଶର ନାରା ଦେଇ ବାଲେଶ୍ୱରରେ ସମାନ ଗୋଟି ଚଳାଇଲେ ନବୀନ । କହିଲେ ମୁଁ ନେବି ବାଲେଶ୍ୱରର ବିକାଶ ଦାୟିତ୍ୱ…

827

କନକ ବ୍ୟୁରୋ: ବିଜେପୁର ପରେ ବାଲେଶ୍ୱର ଦାୟିତ୍ୱ ନେବେ ନବୀନ । ବାଲେଶ୍ୱର ବିକାଶ ଦାୟିତ୍ୱ ନିଜେ ବୁଝିବେ, ଆଉ ବିକାଶ କାମକୁ ନିଜେ ତଦାରଖ କରିବେ ନବୀନ । ଡିଜିଟାଲ ପ୍ରଚାରରେ ଏଭଳି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାଲେଶ୍ୱର ସଦର ଉପ ନିର୍ବାଚନ ପାଇଁ ଜୋରଦାର ରାଲି ଚାଲିଥିବା ବେଳେ ଡିଜିଟାଲ ପ୍ରଚାର ମାଧ୍ୟମରେ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ପ୍ରଚାରରେ ବାଲେଶ୍ୱରର ବିକାଶ ଓ ବିକଶିତ ହୋଇଥିବା କାମକୁ ଫୋକସ ଦେଇଛନ୍ତି । ବାଲେଶ୍ୱର ହେଉଛି ଉତ୍ତର ଓଡିଶାର ସବୁଠୁ ସୁନ୍ଦର ସହର । ସାଧାରଣ ନିର୍ବାଚନ ଆଉ ୩ ବର୍ଷ ରହିଲା । ଏହି ୩ ବର୍ଷ ଭିତରେ ଅନେକ କାମ କରିବାର ଅଛି । ତେଣୁ ବାଲେଶ୍ୱରର ବିକାଶ ମୋ ଦାୟିତ୍ୱ ବୋଲି ନବୀନ କହି ବିକାଶର ଭାର ନିଜ କାନ୍ଧକୁ ନେଇଛନ୍ତି ନବୀନ ।

ତେବେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ରେ ଯେତେବେଳେ ବିଜେପୁର ପାଇଁ ଉପ ନିର୍ବାଚନ ହୋଇଥିଲା । ସେତେବେଳେ ବିଜେପୁର ସବୁ ଭାର ନିଜେ ନେବେ ବୋଲି ବି ଘୋଷଣା କରିଥିଲେ ନବୀନ । ଆଉ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରି ବିଜେପୁର ବାଜି ଜିତିଥିଲେ । ଆଉ ଏବେ ବାଲେଶ୍ୱର ପାଇଁ ସେହି ସମାନ ରଣନୀତି ଆପଣାଇଛନ୍ତି ବିଜେଡି ସୁପ୍ରିମୋ ।

ପ୍ରଚାରରେ ନବୀନ କହିଛନ୍ତି ବାଲେଶ୍ୱର ଆସିଲେ ମୁଁ ଫକୀର ମୋହନ ସେନାପତିଙ୍କୁ ମନେପକାଏ । ମୁଁ ତାଙ୍କୁ ବହୁତ ମାନେ । ତାଙ୍କ ରେବତୀ ଗଳ୍ପ ମୋତେ ସବୁଠାରୁ ଭଲ ଲାଗେ । କଲାମ ଯେତେବେଳେ ବିଜୁ ବାବୁଙ୍କୁ ଭେଟୁଥିଲେ ସେତେବେଳେ ବିଜୁ ବାବୁ କଲାମଙ୍କୁ କହୁଥିଲେ କି ଆପଣ ଚାନ୍ଦିପୁରରେ ଏମିତି କ୍ଷପଣାସ୍ତ୍ର ତିଆରି କରନ୍ତୁ ଯାହା ଚାଇନାକୁ ଚକମା ଦେବ । ତେବେ ପ୍ରଚାର ବେଳେ ବାଲେଶ୍ୱର ସହ ବିଜୁଙ୍କ ସମ୍ପର୍କ ଓ ବିକାଶର କଥା କହି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭୋଟ ମାଗିଛନ୍ତି ।