ନିର୍ବାଚନୀ ପ୍ରଚାରରେ ବିଜେଡି ସୁପ୍ରିମୋ। ଆଜି ରାୟଗଡ଼ା ଓ ଗଜପତିରେ କରିବେ ପ୍ରଚାର

ରାଲି, ରୋଡ ସୋ’ ସହ ସାଧାରଣ ସଭାରେ ଯୋଗଦେବେ ନବୀନ

117

କନକ ବ୍ୟୁରୋ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଓ ରାୟଗଡ଼ାରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାୟଗଡ଼ାରେ ରାଲି ଓ ପ୍ରଚାର କରିବା ପରେ ନବୀନ ଗଜପତି ଯିବେ । ନବୀନ ରାୟଗଡ଼ା ଜିଲ୍ଲାର ଗୁଣୁପୁର, ବିଷମଗଡ଼ ଓ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ । ଏହି ସମୟରେ ବିଜେଡି ସୁପ୍ରିମୋ ରାଲି ଓ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାୟଗଡ଼ାରେ ନିର୍ବାଚନ ପ୍ରଚାର ସାରି ନବୀନ ଅପରାହ୍ନରେ ଗଜପତିରେ ପହଂଚିବେ । ସେଠାରେ ସେ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନୀ ପ୍ରଚାର କରିବେ । ରୋଡ୍ ସୋ କରିବା ସହ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ନବୀନ ।

ଗତକାଲି ନବରଙ୍ଗପୁର ଓ କୋରାପୁଟରେ ଜନସଭାକୁ ସମ୍ବୋଧିତ କରି ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଥିଲେ, ଜଳସେଚନ ପାଇଁ ରାଜ୍ୟ ସରକାର ୨୦ ହଜାର କୋଟି ଦେଇଥିବା ବେଳେ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ଅଢେଇ ଶହ କୋଟି । ଏଥିସହ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ ନବୀନ । ସେ ଆହୁରି ମଧ୍ୟ କହିଥିଲେ କି, ବିଜେଡିର ଇସ୍ତାହାରରେ ପ୍ରଥମ ଏଜେଣ୍ଡା ରହିଛି ଚାଷୀ ଏବଂ ଚାଷୀଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା । ତେବେ ବିଜେଡି ସୁପ୍ରିମୋଙ୍କ ଆଜିର ନିର୍ବାଚନ ରାଲିରେ ଦଳର କିଭଳି ଆଭିମୁଖ୍ୟ ରହିବ ତଥା ଆଜି କାହାକୁ ମୁଖ୍ୟ ମୁଦ୍ଦା କରି ଜନତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।