ନିର୍ବାଚନୀ ପ୍ରଚାରରେ ବିଜେଡି ସୁପ୍ରିମୋ । ଆଜି ନୂଆପଡ଼ା ଓ କଳାହାଣ୍ଡିରେ କରିବେ ପ୍ରଚାର

ରାଲି, ରୋଡ ସୋ ସହ ସାଧାରଣ ସଭାରେ ଯୋଗଦେବେ ନବୀନ

114

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରଚାରରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଆସିବେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ବିମାନ ଯୋଗେ ବାହାରି ନୂଆପଡ଼ା ଜିଲ୍ଲା ଗୋତମା ଏୟାରଷ୍ଟ୍ରିପ ଠାରେ ପହଞ୍ଚିବେ। ସେଠାରୁ ତରବୋଡ଼ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୧ଟା ୫୦ରେ ତରବୋଡ଼ ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ସେଠାରୁ ଖରିଆର ଅଭିମୁଖେ ଯାତ୍ରା କରିବେ। ପରେ ଖରିଆରରୁ ହାଇଟେକ ପ୍ରଚାର ବସରେ ସିନାପାଲି, ଗୋଲାମୁଣ୍ଡା, ଧର୍ମଗଡ, ଜୁନାଗଡ ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବେ।

ଏହା ପରେ ଭବାନୀପାଟଣା ସହରସ୍ଥିତ ଇରିଗେସନ ଆଇବିରେ ରାତ୍ରି ରହଣି କରିବେ। ଏପ୍ରିଲ ୯ ତାରିଖ ଦିନ ପୂର୍ବାହ୍ନ ୧୦ଟା ୪୦ରେ ମାଣିକେଶ୍ବରୀ ମନ୍ଦିର ଯାଇ ଦର୍ଶନ କରିବେ। ସେଠାରୁ ହେଲିପେଡ଼କୁ ଯାଇ ଜୟପାଟଣା ବ୍ଲକର ଅଁଲାଭଟା ନିକଟସ୍ଥ ଚାଚିକୁଡା ଦଶପଡା ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଦିନ ୧୨ଟାରେ ହ୍ୟାଲିକପ୍ଟର ଯୋଗେ ତୁଳାପଡା ଠାରେ ପହଞ୍ଚି ଜନସାଧାରଣଙ୍କୁ ଉଦବୋଧନ ଦେବେ। ପରେ ଭୁବନେଶ୍ବର ଅଭିମୁଖେ ଫେରିଯିବେ।

ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ସହରରେ ରାତ୍ରି ରହଣି କରୁଥିବା ନେଇ ଚଳଚଞ୍ଚଳ ହୋଇ ଉଠିଛି। ଏ ନେଇ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାତ୍ରି ରହଣି ସମୟରେ ତାଙ୍କର ରାତ୍ର ଭୋଜନ ଓ ଚଳଣିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।