ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ପାଇଁ କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ । କଡ଼ା ସୁରକ୍ଷା ମଧ୍ୟରେ ଗଲେ ଭୁବନେଶ୍ୱର ବିମାନବନ୍ଦର

ମହିଳାଙ୍କୁ ନେଇ ବିଜେଡି କରୁଛି ବଡ ଧରଣର ଶକ୍ତି ପ୍ରଦର୍ଶନ । ଡେରା ପକାଇଛନ୍ତି ୧୦ରୁ ଅଧିକ ମନ୍ତ୍ରୀ 

93

କନକ ବ୍ୟୁରୋ : କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଭିତରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ  । କଡ଼ା ସୁରକ୍ଷା ମଧ୍ୟରେ ନବୀନ ପଟ୍ଟନାୟକଙ୍କ କାରକେଡ ବିଜୁ ପଟ୍ଟନାୟକଙ୍କ ବିମାନବନ୍ଦରରେ ପହଞ୍ଚିଥିଲା । ଏଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଅଭିମୁଖେ ବାହାରିଥିଲେ । ଉତ୍କେଲା ଏୟାରଷ୍ଟିପ୍ ରୁ କାର୍ଯ୍ୟକ୍ରମ ସ୍ଥଳକୁ  ଯିବେ ନବୀନ ।

ଏହା ପୂର୍ବରୁ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତକା ଦେଖାଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଉଠାଇ ନେଇଛି । ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗତ କିଛି ଦିନ ହେଲା କଳାହାଣ୍ଡିରେ ସରକାରଙ୍କ ବିରୋଧରେ ବିରୋଧୀମାନେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ । ମନ୍ତ୍ରୀଙ୍କୁ ବହିଷ୍କାର କରୁନଥିବାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି ।

ତଥାପି ଏସବୁ ବିବାଦ ଭିତରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବାରିପଦା, ଦେବଗଡ ପରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଆଜି କଳାହାଣ୍ଡି ଗସ୍ତ କରିବେ ନବୀନ । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ମହିଳାଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏହି ସମାବେଶକୁ ସଫଳ କରିବା ପାଇଁ କଳାହାଣ୍ଡିରେ ୧୦ରୁ ଅଧିକ ମନ୍ତ୍ରୀ ଡେରା ପକାଇଥିବା ଜଣାପଡିଛି ।