‘ମେକ ଇନ ଓଡିଶା’ ସମ୍ମିଳନୀ ପାଇଁ ମୁମ୍ବାଇ ଭଳି ଦିଲ୍ଲୀରେ ହେବ ମେଗା ସୋ’: ନିବେଶକଙ୍କୁ ଆକୃଷ୍ଟ କରିବାକୁ ଆଜି ରୋଡ୍ ସୋ କରିବେ ନବୀନ

51

କନକ ବ୍ୟୁରୋ: ଆଜି ଦିଲ୍ଲୀରେ ହେବ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ମୁମ୍ବାଇ ଭଳି ଦିଲ୍ଲୀରେ ମଧ୍ୟ ଏକ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ବଡ ବଡ ନିବେଶକଙ୍କୁ ଭେଟି, ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିବେ ।

ପୂର୍ବ ଭାରତରେ ଓଡ଼ିଶାକୁ ମାନୁଫେକଚରିଂ ହବ୍ ଭାବେ ଛିଡ଼ା କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଆଜିର କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଦେଶର ବଡ ବଡ ନିବେଶକଙ୍କୁ ଭେଟିବା ସହ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ । ଓଡ଼ିଶା, ନିବେଶ ପାଇଁ ଉକୃଷ୍ଟ କ୍ଷେତ୍ର ଭାବେ ନିବେଶକଙ୍କ ଆଗରେ ଉପସ୍ଥାପନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

ନିବେଶକଙ୍କୁ ନିମନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିବା ବେଳେ, ଏପଟେ ପୁଞ୍ଜି ନିବେଶ ପ୍ରସଙ୍ଗରେ କେଁ ପୁରାଇଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଶୋ ପୂର୍ବରୁ ବିଧାନସଭାରେ ଶାସକ ଦଳର ସଦସ୍ୟକୁ ଘେରିଛି ବିଜେପି । ରାଜ୍ୟରେ ପଡ଼ି ରହିଥିବା ପ୍ରକଳ୍ପକୁ ଆଗେଇବା ପରିବର୍ତେ କେବଳ ପ୍ରଚାର ଉଦ୍ଦେଶ୍ୟରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ରୋଡ୍ ସୋ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ସଦସ୍ୟ । ଆଉ ବିଜେପିର ଅଭିଯୋଗ ସହ ତାଳ ମିଶାଇଛି କଂଗ୍ରେସ ।

ଏହି ଆରୋପ ପ୍ରତ୍ୟାରୋପ ଭିତରେ ଓଡ଼ିଶାରେ ପୁଞ୍ଜି ନିବେଶର ବାତାବରଣ ନେଇ ଆପତି ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଧର୍ମେନ୍ଦ୍ର କହିଛନ୍ତି-

-ଏନଟିପିସି ପ୍ରକଳ୍ପକୁ ଅନୁମୋଦନ ଦେବାରେ ରାଜ୍ୟ ସରକାର ବିଳମ୍ବ କରୁଛନ୍ତି

-ସେଲ, ନାଲକୋ ଭଳି ସଂସ୍ଥାର ବଡ ବଡ ପୁଞ୍ଜି ନିବେଶ ପ୍ରସ୍ତାବ ବିଳମ୍ବିତ ହେଉଛି

– ଅନୁମତି ପ୍ରଦାନରେ ବିଳମ୍ବ ଯୋଗୁଁ ରାଷ୍ଟ୍ରାୟତ ଉଦ୍ୟୋଗର ପ୍ରକଳ୍ପରେ ବିଳମ୍ବ ହେଉଛି

-ବର୍ଷ ବର୍ଷ ଧରି ଝୁଲି ରହୁଥିବା ପ୍ରକଳ୍ପ ପୁଞ୍ଜି ନିବେଶର ବାତାବରଣକୁ ଖରାପ କରୁଛି

-ଏହା ପୁଞ୍ଜିନିବେଶକାରୀଙ୍କ ପାଖକୁ ଭୁଲ ବାର୍ତା ଯିବାର ସଂଭାବନା ରହିଛି

ଠିକ୍ ଦିଲ୍ଲୀର ରୋଡ୍ ସୋ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଏହି ଚିଠି ଏବେ ରାଜନୀତିକୁ ସରଗରମ କରିଦେଇଛି । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ କେନ୍ଦ୍ରମନ୍ତ୍ରୀ ନିଶ୍ଚିତ ଭାବେ ଚିନ୍ତିତ ଥାଇପାରନ୍ତି, କିନ୍ତୁ ଏହି ଚିଠିରେ ରାଜନୀତିର ଗନ୍ଧ ନାହିଁ ଏହା କହିବା ହୁଏତ ମୁସ୍କିଲ ହେବ ।