ଆଜି କୋଟିଆ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ : ବହୁ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

126

କନକ ବ୍ୟୁରୋ : ଓଡ଼ିଶା ହାତରୁ ଖସିଯାଉଛି କୋଟିଆ। କୋରାପୁଟ ଜିଲ୍ଲାର ଏହି ଗ୍ରାମପୁଞ୍ଜକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବାକୁ ଦୀର୍ଘ ଦିନରୁ ଲୋଲୁପ ଦୃଷ୍ଟି ପକାଇଛନ୍ତି । ପୂର୍ବରୁ ରାସନ କାର୍ଡ଼ ଓ ସରକାରୀ ଯୋଜନା ଆବଣ୍ଟନ କରି ନିଜ ସ୍ଥିତି ଜାହିର କରିଆସିଥିବା ଆନ୍ଧ୍ର ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିବ।

ଗୋଟିଏ ପଟେ ଆନ୍ଧ୍ର କୋଟିଆକୁ ଅକ୍ତିଆର ପାଇଁ ଉଦ୍ୟମ ଜାରି ରଖିଛି । ଏପଟେ ଲୋକଙ୍କୁ ମନାଇବା ପାଇଁ ଓଡିଶା ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଅଂଚଳର ଲୋକଙ୍କ ସହ ଆଲୋଚନା କରିବେ । ଏହା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଆନ୍ଧ୍ର ପ୍ରଶାସନ କୋଟିଆ ଅଂଚଳରେ ବିକାଶ କଥା କହୁଥିବା ବେଳେ ଓଡିଶା ସରକାର ସ୍ଥାନୀୟ ଅଂଚଳ ପାଇଁ ବହୁ ବିକାଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏଠାରେ ରାସ୍ତାଘାଟଠାରୁ ଆରମ୍ଭ ହୋଇ ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ, କ୍ଲଷ୍ଟର ଗୃହ ସମେତ ବହୁ ଉନ୍ନୟନ କାମ ଜାରି ରହିଛି । କିନ୍ତୁ ଏହା କୋଟିଆ ଅଂଚଳବାସୀଙ୍କୁ ଆକର୍ଷିତ କରିପାରୁ ନାହିଁ ବୋଲି କୁହାଯାଉଛି ।