ସୁରୁଖୁରୁରେ ରଥଯାତ୍ରା ଶେଷ ହୋଇଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ: ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ ଜଣାଇଲେ କୃତଜ୍ଞତା; ସେପେଟ ରଥଯାତ୍ରା ସଫଳତାର ଶ୍ରେୟ ନେବାକୁ ଆରମ୍ଭ ହେଲାଣି ରାଜନୀତି

228

କନକ ବ୍ୟୁରୋ: କରୋନା ସଂକ୍ରମଣ ଭିତରେ କେମିତି ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତାକୁ ନେଇ ଚିନ୍ତାରେ ଥିଲେ ସରକାର । ବିଶେଷ କରି କଟକଣା ଭିତରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହାତରେ ଥିଲା ଖୁବ କମ ସମୟ । ଆଉ ଏହି ଆହ୍ୱାନକୁ ଅବସରରେ ପରିଣତ କଲା ପୁରୀ ଜିଲ୍ଲା ପ୍ରଶାସନ । ନବ ଦିନାତ୍ମକ ରଥଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଫେରିବା ପରେ ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଆୟୋଜନ ଶୃଙ୍ଖଳିତ ହୋଇଛି । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ସବୁ ସେଇ ଲୀଳାମୟଙ୍କ ଇଛା ବୋଲି ଟୁଇଟ କରି ଲେଖିଛନ୍ତି ନବୀନ ।

ସେପେଟ ରଥଯାତ୍ରା ସଫଳତାର ଶ୍ରେୟ ନେବାକୁ ଆରମ୍ଭ ହେଲାଣି ରାଜନୀତି । ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରଥଯାତ୍ରା ହେବ କି ନାହିଁ ସନ୍ଦେହ ଥିଲା । ଭଗବାନଙ୍କ ଲୀଳା ଯୋଗୁ ରଥଯାତ୍ରା ଶେଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନିଷ୍ଠା ଯୋଗୁ ସମ୍ଭବ ହୋଇଛି । ପରମ୍ପରା ରକ୍ଷା ହୋଇଥିବା ସେ କହିଛନ୍ତି । ଯେଉଁମାନେ ଷଡଯନ୍ତ୍ର କରୁଥିଲେ ସେମାନଙ୍କ ପର୍ଦ୍ଦାଫାଶ ହୋଇଛି । କିଏ ଷଡଯନ୍ତ୍ର କରିଥିଲା ଲୋକେ ବି ତାହା ଜାଣିଛନ୍ତି । ଜଗନ୍ନାଥ ଚାହିଁଲେ ବୋଲି ରଥଯାତ୍ରା ହେଲା , କିନ୍ତୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଷ୍ଠା ପ୍ରଦର୍ଶନ କରିଥିବା ପୃଥ୍ୱୀରାଜ କହିଛନ୍ତି ।

ଏପଟେ ରଥଯାତ୍ରାର ସୁରୁଖୂୁରୁରେ ଶେଷ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ଦୟାରୁ ରଥଯାତ୍ରା ସଂପନ୍ନ ହୋଇଛି । ଏଥିପାଇଁ ସେବାୟତ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । କୋଭିଡ ଗାଇଡଲାଇନ ମାନି ଭକ୍ତମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରାର ଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କ ସହଯୋଗ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।