ଧରାକୋଟ୍ ସଭାରୁ ନବୀନଙ୍କ ଟାର୍ଗେଟ। ବିଜେପି-କଂଗ୍ରେସ ବିରୁଦ୍ଧରେ ଆଣିଲେ ସଂଗୀନ ଅଭିଯୋଗ । କହିଲେ, ଗଂଜାମର ଶାନ୍ତିକୁ ନଷ୍ଟ କରିବାକୁ ଚକ୍ରାନ୍ତ କରୁଛନ୍ତି ବିରୋଧୀ

170

କନକ ବ୍ୟୁରୋ: ଧରାକୋଟ ନିର୍ବାଚନୀ ସଭାରେ ପ୍ରତିପକ୍ଷଙ୍କୁ ନେଇ ଖୁବ କଡା ଟିପଣୀ କରିଛନ୍ତି ନବୀନ । ଉଭୟ ବିଜେପି ଓ କଂଗ୍ରେସ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ନବୀନ କହିଛନ୍ତି, ଗଂଜାମ ବାସୀ ଶାନ୍ତି ପ୍ରିୟ । ହେଲେ ଗଂଜାମର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁୁଛନ୍ତି ବିଜେପି ଓ କଂଗ୍ରେସ । ଚଳିତ ନିର୍ବାଚନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଜେଲରୁ ବେଲରେ ଥିବା ଅପରାଧିଙ୍କୁ ପ୍ରାର୍ଥୀ କରିଥିବା ଅଭିଯୋଗ କରିଛନ୍ତି ।

ଏଥି ସହ ଗଂଜାମର ଶାନ୍ତି ନଷ୍ଟ ହେବାକୁ ସେ ଦେବେ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି । ଏହା ସହ ଆସ୍କା ସାରା ବିଶ୍ୱକୁ ବାଟ ଦେଖାଇବ ବୋଲି କହିଛନ୍ତି ନବୀନ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଏସଏଚଜିର ମା ପାର୍ଲାମେଂଟକୁ ଯିବେ । ଆସ୍କାରୁ ୪ ଜଣ ମହିଳା ବିଧାନସଭାକୁ ଯିବେ । ଓ ରେକର୍ଡ ମାରଜିନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତେଇବାକୁ ଅନୁରୋଧ କରିଛନ୍ତି ନବୀନ ।

ଏହା ପୂର୍ବରୁ ଫୁଲବାଣୀର ତୁମୁଡିବନ୍ଧରେ ନିର୍ବାଚନୀ ସଭାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । କାଳିଆ ଯୋଜନା ବନ୍ଦ ପାଇଁ କେନ୍ଦ୍ର ଚକ୍ରାନ୍ତ କରୁଛି । ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବନି । ବିଜେଡି ସରକାର ଆସିଲେ ପ୍ରଥମ ଦିନରେ କାଳିଆ ଟଙ୍କା ମିଳିବ । ମହିଳା ମାନେ ବିକାଶର ପ୍ରକୃତ ଡବଲ ଇଂଜିନ । ନିର୍ବାଚନ ସମୟରେ କେନ୍ଦ୍ର ନେତା ଭୋଟ ମାଗିବାକୁ ଆସୁଛନ୍ତି, ଅନ୍ୟ ସମୟରେ ସେମାନଙ୍କର ଦେଖା ନଥାଏ ବୋଲି କହିଛନ୍ତ ନବୀନ । ଏହା ପରେ ଧରାକୋଟ ଜନସଭାରେ ଯୋଗଦେଇଛନ୍ତି ନବୀନ । ଗଂଜାମର ସୋରଡାରେ ରୋଡ ସୋ କରିବେ ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ବିିଭିନ୍ନ ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ ଜମୁଛି ।