ପୁଣି ନିର୍ବାଚନୀ ସଭାରେ ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ । କହିଲେ, ହିଂସା ଓ ଗୁଣ୍ଡାଗର୍ଦ୍ଦି ବିଜେପିର ଏଜେଣ୍ଡା, ଏହାର ଜବାବ ବାଲାଟ୍ ଦେବେ ଜନତା

ବେଲରେ ଆସିଥିବା ଅପରାଧୀମାନଙ୍କୁ ବିଜେପି ପ୍ରାର୍ଥୀ କରିଛି । ସାରା ଦେଶରେ ଏଥର ବିଜେପି ହାରୁଛି

431

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତା ୨୯ ତାରିଖରେ ହେବ । ଏବଂ ଏହି ପ୍ରରିପେକ୍ଷୀରେ ଜନତାଙ୍କ ହୃଦୟ ଜିତିବାକୁ ନେତାଙ୍କ ହାତରେ ରହିଛି ମାତ୍ର ଖୁବ୍ କମ ସମୟ । ତେଣୁ ରାଜ୍ୟର ବିଭିନ୍ନ ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଫୁଲ ଦମ୍ ଲଗାଇଦେଇଛନ୍ତି । ସେହିପରି ପଂଚମ ଥର ପାଇଁ ଶାସନ ଗାଦିରେ ବସିବା ପାଇଁ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ସେନାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ମର୍ମରେ ବିଭିନ୍ନ ସ୍ଥାନରେ ଜନସଭା କରିବା ସହ ରୋଡ୍ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ନବୀନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନିଆଳିରେ ପ୍ରଚାର କରିଛନ୍ତି ନବୀନ । ଏହି ଅବସରରେ ସେ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିବା ସହ ଦଳର ସଫଳତା ଏବଂ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ନବୀନ।

ନବୀନ କହିଛନ୍ତି, ‘କାଳିଆ’ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ହେଲେ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ପର୍ଯ୍ୟନ୍ତ ‘କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହ ବିଜେଡି ପୁନର୍ବାର କ୍ଷମତାକୁ ଆସିଲେ ସରକାର ଗଢିବାର ପ୍ରଥମ ଦିନରେ ହିଁ କାଳିଆର ଦୁଇ କିସ୍ତିର ଟଙ୍କା ଚାଷୀଙ୍କୁ ମିଳିବ ବୋଲି କହି ଭୋଟରଙ୍କୁ ଲୋଭ ଦେଖାଇଛନ୍ତି ନବୀନ । ତେବେ ନିଆଳି ସଭାମଂଚରୁ ବି କେନ୍ଦ୍ର ଉପରେ ଜୋରଦାର ବର୍ଷିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ବାଚନ ବେଳେ କେନ୍ଦ୍ରର ବଡ ବଡ ନେତା ଓଡିଶା ଆସୁଛନ୍ତି । ଭୋଟ୍ ମାଗୁଛନ୍ତି । ହେଲେ ବିପର୍ଯ୍ୟୟ ସମୟରେ ସେମାନଙ୍କର କାହାର ବି ଦେଖା ମିଳିନଥାଏ । ଓଡିଶା ପ୍ରତି କେନ୍ଦ୍ରର ଦରଦ ନାହିଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୧୯୯୯ ମହାବାତ୍ୟାର କଥା ମନେପକାଇ ନବୀନ କହିଛନ୍ତି, ୧୯୯୯ରେ ଯେଉଁ ମହାବାତ୍ୟା ହୋଇଥିଲା ତାହା ସମସ୍ତଙ୍କର ମନେ ଥିବ । ଯେଉଁଥିରେ ସାରା ଓଡିଶା ଛାରଖାର ହୋଇଯାଇଥିଲା । ଚାଷବାସ ନଷ୍ଟ ହୋଇଯାଇଥିଲା । ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । କିନ୍ତୁ ଏବେ ସେ ଅବସ୍ଥା ଆଉ ନାହିଁ । ଆମେ ଆଜି କେରଳ ଭଳି ଅନ୍ୟ ରାଜ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇପାରୁଛେ । ଆପଣ ମାନେ କୁହନ୍ତୁ ଏହା କଣ ପରିବର୍ତ୍ତନ ନୁହେଁ  ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ଦିନ ଥିଲା ଓଡଶା ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା କିନ୍ତୁ ଆଜି ଦିନରେ ଓଡିଶା ଅନ୍ୟ ରାଜ୍ୟକୁ ଚାଉଳ ଦେଉଛି, ଏହା କଣ ପରିବର୍ତ୍ତନ ନୁହେଁ? ଓଡିଶା ଏକ ଗରିବ ରାଜ୍ୟ ଥିଲା, ତେବେ ଗରିବୀକୁ ମାତ୍ ଦେଇ ଓଡିଶା ଆଜି ସବୁଠାରୁ ଆଗରେ, ଏହା କଣ ପରିବର୍ତ୍ତନ ନୁହେଁ ? ରାଜ୍ୟର ସବୁ ଲୋକଙ୍କୁ ବିଜୁ କଲ୍ୟାଣ ଯୋଜନାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି, ଏହା କଣ ପରିବର୍ତ୍ତନ ନୁହେଁ ? ଆଜି ଓଡିଶା ଦେଶର ସ୍ପୋଟର୍ସ କ୍ୟାପିଟାଲ, ସଫଳତା ସହ ଆମେ ବିଶ୍ୱକପ ହକି ମ୍ୟାଚ୍ ଆୟୋଜନ କରିପାରିଛେ, ଏହା କଣ ପରିବର୍ତ୍ତନ ନୁହେଁ ? ଓଡିଶାରେ ସାଢେ ୪ ଲକ୍ଷ କୋଟି ଟଙ୍କା ପୁଂଜି ବିନିଯୋଗ ହୋଇଛି, ଏହା କଣ ପରିବର୍ତ୍ତନ ନୁହେଁ ବୋଲି ପ୍ରଶ୍ନ କରିବା ସହ ଏହା କେବଳ ଓଡିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗ ପାଇଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ନବୀନ ।

ବିରୋଧୀଙ୍କ ଉପରେ କଠୋର ଆକ୍ରମଣ କରି ନବୀନ କହିଛନ୍ତି, ମିଛ, ହିଂସା  ଏବଂ ଗୁଣ୍ଡାଗର୍ଦ୍ଦି ହେଉଛି ଭାରତୀୟ ଜନତା ପାର୍ଟିରେ ମୁଖ୍ୟ ଏଜେଣ୍ଡା । ବେଲରେ ଆସିଥିବା ଅପରାଧୀମାନଙ୍କୁ ବିଜେପି ପ୍ରାର୍ଥୀ କରିଛି । ଲୋକେ ବିଜେପିକୁ ଏହାର ଜବାବ ବାଲାଟରେ ଦେବେ । ସାରା ଦେଶରେ ଏଥର ବିଜେପି ହାରୁଛି । ସାଢେ ୪କୋଟି ଓଡିଶାବାସୀ ମୋର ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣମାନଙ୍କର ସେବା କରି ଚାଲିବି । ଆପଣ ମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଂଖ ଚିହ୍ନରେ ଭୋଟ୍ ଦିଅନ୍ତୁ ବୋଲି କହିଛନ୍ତି ନବୀନ ।