ବୌଦ୍ଧ ନିର୍ବାଚନୀ ସଭାରୁ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ । କହିଲେ, ଓଡିଶାବାସୀଙ୍କ ପ୍ରତି ନାହିଁ ବିଜେପି ସରକାରଙ୍କ ଦରଦ; ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କେନ୍ଦ୍ରୀୟ ନେତା

120

କନକ ବ୍ୟୁରୋ: ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ଆଜି ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ବୌଦ୍ଧରେ ଆୟୋଜିତ କେ ଜନସଭାରେ ଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜନସଭାରେ ସାମିଲ ହୋଇ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

କେନ୍ଦ୍ରକୁ ସମାଲୋଚନା କରି ନବୀନ କହିଛନ୍ତି ଯେ, ଓଡିଶାବାସୀ ଯେତେବେଳେ ମହାବାତ୍ୟା, ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ ଅତିକ୍ରମ କରୁଥିଲା ସେତେବେଳେ କୌଣସି ଜଣିଏ ହେଲେ ବି କେନ୍ଦ୍ରୀୟ ନେତାଙ୍କର ପାଦ ଓଡିଶାରେ ପଡିନଥିଲା । କିନ୍ତୁ ବର୍ତ୍ତମାନ ନିର୍ବାଚନ ଋତୁ ଚାଲି ଥିବାରୁ ଭୋଟ ମାଗିବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ଓଡିଶାକୁ ମାରାଥନ ଗସ୍ତ କରୁଛନ୍ତି । ନବୀନ କହିଛନ୍ତି, ଓଡିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ । କେନ୍ଦ୍ର ମନ୍ତ୍ରୀମାନେ ଓଡିଶା ଆସି  କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହି ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ।କାଳିଆ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ସେ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ଏବଂ ବିଜୁ ଜନତା ଦଳ ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀ ୨ଟି କିସ୍ତି ପାଇଁ ୧୦ ହଜାର ଟଙ୍କା ପାଇବେ ବୋଲି ଘୋଷଣା କରି ଭୋଟରଙ୍କୁ ଆକର୍ଷିତ କରିବାକୁ ଗୋଟିଚାଲଣା  କରିଛନ୍ତି ବିଜେଡି ସୁପ୍ରିମୋ ।

ହରି କ୍ଷେତକୁ ପାଣି କୁଆଡେ ଗଲା? ଦୁଇ ଗୁଣା ଏମଏସପି କୁଆଡେ ଗଲା ? କେବିକେ ଯୋଜନାକୁ କାହିଁକି ବନ୍ଦ କରାଗଲା ? କାହିଁକି ବୀମା କରି ଚାଷୀ ହଇରାଣ ହେଉଛନ୍ତି ? ଏସଏ/ସିଏଟି ପିଲାଙ୍କ ସ୍କର୍ଲାରସିପ କାହିଁକି ବନ୍ଦ କରାଗଲା ? ବୋଲି କେନ୍ଦ୍ର ନେତାମାନଙ୍କୁ ପ୍ରଶ୍ନ କରିବାକୁ ବୌଦ୍ଧବାସୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ । ଜିଏସଟି ଆଳରେ ବୁଣାକାରମାନଙ୍କ ଜିବିକାରେ ବିଜେପି ସରକାର ବାଧା ସୃଷ୍ଟି କରୁଥିବା ସହ  ସ୍ୱାଧିନତାର ୭୨ ବର୍ଷ ପରେ ବି ବୌଦ୍ଧ ଜିଲ୍ଲାରେ କାହିକିଁ ରେଳ ଲାଇନ ହୋଇପାରୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବାକୁ ଆହ୍ୱାନ ଦେଇଛନ୍ତି ନବୀନ।

ଓଡିଶାବାସୀଙ୍କ ପାଇଁ ବିଜେଡି ସରକାର ସବୁବେଳେ ଲଢେଇ କରିଆସୁଛି କହିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ବୌଦ୍ଧବାସୀଙ୍କୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।