ସୁନା ପୁଅ ପ୍ରମୋଦ ଭଗତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । କହିଲେ, ତୁମର ବିଜୟ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ।

120

କନକ ବ୍ୟୁରୋ: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜୟ ପରେ ଏବେ ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରମୋଦଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ଭୂରି ଭୂରି ପ୍ରଂଶସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରମୋଦଙ୍କର ଏହି ବିଜୟ ଓଡିଶା ପାଇଁ ଗର୍ବ ଓ ଗୌରବ । ତା ସହିତ ପ୍ରମୋଦଙ୍କ ବିଜୟ ଦେଶବାସୀଙ୍କ ପାଇଁ ମଧ୍ୟ ଗୌରବର କଥା । ଖାଲି ସେତିକି ନୁହେଁ ଭାରତର ଜାତୀୟ ପତାକାର ମାନକୁ ମଧ୍ୟ ପ୍ରମୋଦ ଭଗତ ବଢାଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କାଳରେ ପ୍ରମୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲଗାତାର ପ୍ରଚେଷ୍ଟା ଏବଂ ବିଶ୍ୱାସ ହେତୁ ସେ ଆଜି ପଦକ ଜିତିପାରିଥିବା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଟୋକିଓ ପାରା ଅଲିମ୍ପିକ୍ସରେ ଆଜି ଓଡିଆ ପୁଅ ପ୍ରମୋଦ ଭଗତ ଦେଶ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦେଶର କ୍ରୀଡାମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ମଧ୍ୟ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।