ଆମ୍ବୁଲାନ୍ସ ପାଇଁ ଅଟକିଲେ ନବୀନ । ରାଜଧାନୀ ରାଜରାସ୍ତାର ଭିଡ ଭିତରେ ନିଜ କାରକେଡ୍ ଅଟକାଇଲେ, ଆମ୍ବୁଲାନ୍ସକୁ ବାଟ ଦେଇ ମାନବିକତା ବୁଝାଇଲେ ମୁଖ୍ୟମନ୍ତ୍ରୀ ।

2,460

କନକ ବ୍ୟୁରୋ : ଆମ୍ବୁଲାନ୍ସ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ଆମ୍ବୁଲାନ୍ସକୁ ବାଟ ଛାଡିଲେ ନବୀନ । ନିଜର ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ସାରା ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ନବୀନ ପଟ୍ଟନାୟକ ପୁଣି ଥରେ ଜଣେ ଭଲ ମୁଖ୍ୟମନ୍ତ୍ରୀ ହେବାର ଉଦାହରଣ ରଖିଛନ୍ତି । ରାଜଧାନୀରେ ଭିଡ ଭିତରେ ନିଜ କାରକେଡକୁ ଅଟକାଇ ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡିଛନ୍ତି ନବୀନ ।

ରାଜଧାନୀ ଭିଡରେ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ଆମ୍ବୁଲାନ୍ସକୁ ରାସ୍ତା ଛାଡିଲେ ନବୀନ । ତାରିଖ ଥିଲା ଫେବୃଆରୀ ୧୫ ଅର୍ଥାତ ଶନିବାର । ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଭିମୁଖେ ଯାଉଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ଜାଭିୟର ଛକରୁ ୟୁଟର୍ଣ୍ଣ ନେବାର ଥିଲା ନବୀନଙ୍କ ଗାଡି । କିନ୍ତୁ ଏହା ପୂର୍ବରୁ ସେହି ରାସ୍ତା ଦେଇ ଆସିଥିଲା ଏକ ଆମ୍ବୁଲାନ୍ସ । ଆଉ ସେହି ରାସ୍ତାରେ ଭିଡ ଥିବାରୁ ନିଜ କାରକେଡକୁ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗ ଗଲା ଆମ୍ବୁଲାନ୍ସ, ପରେ ଗଲେ ମୁଖ୍ୟମନ୍ତ୍ରୀ । ଭିଡ ଭିତରୁ ଆମ୍ବୁଲାନ୍ସକୁ ରାସ୍ତା ଛାଡିବା ପରେ, ପଛରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଆମ୍ବୁଲାନ୍ସକୁ ରାସ୍ତା ଛାଡି ଜନସାଧାରଣଙ୍କ ଆଗରେ ଏକ ନିଆରା ବାର୍ତ୍ତା ରଖିଛନ୍ତି ନବୀନ ।

କିଛିଦିନ ତଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା, ଯାହା ଲୋକଙ୍କ ମାନବିକତାକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି କରଥିଲା । ରାଜଧାନୀର କ୍ୟାପିଟାଲ ହସ୍ପିଟାଲରୁ ପଟିଆ ଅଂଚଳରେ ଥିବା ଏକ ଘରୋଇ ହସ୍ପଟାଲ ନେବା ରାସ୍ତାରେ ଟ୍ରାଫିକ୍ ଜାମର ଶିକାର ହୋଇ ଚାଲିଯାଇଥିଲା ଏକ କୁନି ଶିଶୁର ଜୀବନ । ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ମର୍ମାହତ କରିଥିଲା । ଟ୍ରାଫିକ ବ୍ୟବସ୍ଥା ଉପରେ ଯେତେବଡ ପ୍ରଶ୍ମ ଚିହ୍ନ ଲାଗିଥିଲା, ତାଠୁ ଅଧିକ ବଡ ପ୍ରଶ୍ନ ଚିହ୍ନ ଲାଗିଥିଲା ଲୋକଙ୍କ ମାନବିକତା ଉପରେ ।

ଆଉ ଗତକାଲି ନିଜ କାରକେଡକୁ ଅଟକାଇ ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡି ଜନସାଧାରଣଙ୍କୁ ଏକ ନିଆରା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛୁ, ଆପଣ ରାସ୍ତାରେ ଯାଉଥିବା ବେଳେ, ଯଦି କୌଣସି ଆମ୍ବୁଲାନ୍ସ ଆପଣଙ୍କ ପାଖରେ ଯାଉଛି, ତେବେ ଆମ୍ବୁଲାନ୍ସ ପାଇଁ ରାସ୍ତା ଛାଡିଦିଅନ୍ତୁ । ଆସନ୍ତୁ ସମସ୍ତେ ସଚେତନ ହେବା, ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଦିଗରେ ସଚେତନ କରାଇବା । ହୁଏତ ଆପଣଙ୍କ ଏହି ଟିକିଏ କାମ ପାଇଁ କାହାର ଜୀବନ ବଂଚିଯାଇପାରେ । ଆଉ କାହାକୁ ଏକ ନୂଆ ଜୀବନ ବି ମିଳିପାରେ ।