ଚାଷୀଙ୍କ ଚାଉଳ ଓ ପରିବାରେ ହେଉଛି ମହାପ୍ରସାଦ । ଅନ୍ନଦାତାଙ୍କ ପାଇଁ ‘କାଳିଆ’ ଯୋଜନାର ସୁବିଧା କହିଲେ ନବୀନ

237

କନକ ବ୍ୟୁରୋ: ଆଜି ଠାରୁ ଚାଷୀଙ୍କ ଖାତାକୁ ଆସିଲା କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ବାଂଟିବା ପାଇଁ ପୁରୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀକ୍ଷେତ୍ର ପୁରୀରୁ ‘କାଳିଆ’ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଆରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଥମେ ସଭାସ୍ଥଳୀରେ ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କାଳିଆ ଯୋଜନାର କାହାଣୀ କହିଛନ୍ତି । ନବୀନ କହିଛନ୍ତି କି, ଓଡିଶାର ଅନ୍ନଦାତାମାନେ କିଭଳି ଭଲରେ ରହିବେ ସେଥିପାଇଁ ସେ ସବୁବେଳେ ଚାହୁଁଛନ୍ତି କରୁଛନ୍ତି । କେବଳ ଗୋଟିଏ ଥର ସାହାର୍ଯ୍ୟ କଲେ, ଚଷାପୁଅର ସବୁ ସମସ୍ୟାର ସଂପୂର୍ଣ୍ଣ ଭାବରେ ସମାଧାନ ହେବ ନାହିଁ । ଏଥିପାଇଁ ଏଭଳି ଏକ ଯୋଜନା ଆସିବା ଦରକାର ଯେଉଁଥିରେ ଚାଷୀଙ୍କୁ ସବୁ ଫସଲରେ ଓ ସବୁ ଋତୁରେ ସାହାର୍ଯ୍ୟ ମିଳିପାରିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ସେ କାଳିଆ ଯୋଜନା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି ।

ନବୀନ ଆହୁରୀ ମଧ୍ୟ କହିଛନ୍ତି କି, କାଳିଆ ଯୋଜନାରେ ରାଜ୍ୟର ସବୁ ଚାଷୀ, ବିଶେଷ କରି କ୍ଷୁଦ୍ର ଚାଷୀ, ଭାଗ ଚାଷୀ, ଏବଂ କୃଷି ଶ୍ରମିକଙ୍କୁ ସୁବିଧା ଦିଆଯିବ । ଚାଷୀଙ୍କୁ ଖରିଫ ପାଇଁ ଅକ୍ଷ ତୃତୀୟା ଦିନ ୫ ହଜାର ଟଙ୍କା । ରବି ପାଇଁ ନୂଆ ଖାଇ ଦିନ ମିଳିବ ୫ ହଜାର ଟଙ୍କା । ଏ ଟଙ୍କା ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ । ତେବେ କାଳିଆ ଯୋଜନାକୁ କେହି ରୋକିପାରିବେ ନାହିଁ ବୋଲି ନବୀନ କହିଛନ୍ତି ।

ଚାଷୀମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି । ଚାଷୀ ଦେଉଥିବା ଚାଉଳ ଓ ପରିବାରେ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀମାନେ ଏକ ମହାନ କାର୍ଯ୍ୟ କରୁଛନ୍ତି । ତେଣୁ ଏହି ଯୋଜନାର ନାମ ‘କାଳିଆ’ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରରେ ଆୟୋଜିତ ଚାଷୀ ମହାସମାବେଶରେ କହିଛନ୍ତି । କାଳିଆକୁ କେହି ରୋକିପାରିବେ ନାହିଁ । ଓଡିଶାର ଅର୍ଥନୀତିର ବିକାଶରେ ଏହା ଏକ ମାଇଲଖୁଂଟ ହୋଇପାରିବ । କାଳିଆ ଯୋଜନା ଦ୍ୱାରା ଅନ୍ନଦାତାଙ୍କର ଚାଷବାସ ଭଲ ହେବ । ଚାଷୀ ପରିବାରର ଉନ୍ନତି ହେବ ଏବଂ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।