ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ୪୭ ଲକ୍ଷ ନୂଆ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ; ଆଧାର ସହ ଲିଙ୍କ ହେବ ପ୍ରତି ସଦସ୍ୟଙ୍କ ନାଁ

ଛାତ୍ର, ମହିଳା ଓ ଯୁବ ଗୋଷ୍ଠୀଙ୍କୁ ଗୁରୁତ୍ୱ ଦେବ ବିଜେଡି

244

କନକ ବ୍ୟୁରୋ: ଚାଲିଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳୀୟ ସଂଗଠନ, ଦଳୀୟ ନିର୍ବାଚନ ଏବଂ ସଭ୍ୟ ସଂଗ୍ରହ ଅଭିଯାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି । ପ୍ରାଥମିକ ପର୍ଯ୍ୟାୟରେ ୪୭ଲକ୍ଷ ନୂଆ ସଦସ୍ୟଙ୍କୁ ବିଜେଡି ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଛାତ୍ର, ମହିଳା ଓ ଯୁବକୁ ଗୁରୁତ୍ୱ ଦେବ ବିଜେଡି । ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ୫-ଟି ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ କରାଯିବ ଏବଂ ସମସ୍ତ ସଦସ୍ୟଙ୍କ ନାଁ ବିଜେଡିର ୱେବସାଇଟରେ ଉପଲବ୍ଧ ହେବ ।

 

 

ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ଯୋଜନା ସଭ୍ୟମାନେ ପାଇଛନ୍ତି କି ନାହିଁ ତାହା ମଧ୍ୟ ଜଣାପଡିବ ବୋଲି ଦଳର କୋଷାଧ୍ୟକ୍ଷ ସୁବାସ ସିଂ କହିଛନ୍ତି ।  ସେପଟେ ସଦସ୍ୟ ସଂଗ୍ରହ ପାଇଁ ନୂଆ ଫର୍ମୁଲା ତିଆରି କରିଛି ଦଳ । ପ୍ରତି ୱାର୍ଡରୁ ୪ ଜଣ ସକ୍ରିୟ ସଦସ୍ୟ, ପ୍ରତି ଏନଏସିରୁ ୫ ଜଣ ସକ୍ରିୟ ସଦସ୍ୟ ହେବେ, ମ୍ୟୁନିସିପାଲଟି ସ୍ତରରେ ୧୫ ଜଣ ଓ ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ପ୍ରତି ସକ୍ରିୟ ସଦସ୍ୟକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ  କରିବେ । ବର୍ତ୍ତମାନ ସଦସ୍ୟ ସଂଖ୍ୟାରୁ ଦୁଇଗୁଣ ଲକ୍ଷ୍ୟ ରଖାଯାଇଛି ବୋଲି ସାଧାରଣ ସଂପାଦକ ଅରୁଣ ସାହୁ । ଅନ୍ୟପଟେ ଦଳର ସମସ୍ତ ସାଂଗଠାନିକ ନିର୍ବାଚନ ଦାୟିତ୍ୱ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସର୍ବ ସମ୍ମତିରେ ଦିଆଯାଇଛି ।