ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ବିଜେପୁର । ନିର୍ବାଚନ ଜିତିବାପରେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ନବୀନ ।

1,602

କନକ ବ୍ୟୁରୋ: ପଞ୍ଚମ ପାଳିର ଦ୍ୱିତୀୟ ଦିନରେ ବିଜେପୁର ପାଇଁ ଭଣ୍ଡାର ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜରେ ବିଜେପୁର ଅଂଚଳର ଯୋଗ୍ୟ ହିତାଧିକାରୀଙ୍କୁ ୩୪ ହଜାର ପକ୍କା ଘର ମିଳିବ। ବିଜେପୁରରେ ୧୧୨୦ କୋଟି ଯଙ୍କା ଖର୍ଚ୍ଚରେ ୨ଟି ମେଗା ଜଳଯୋଗାଣ ପ୍ରକଳ୍ପ କରାଯିବ । ଯାହାଦ୍ୱାରା ବରଗଡ଼ ଜିଲ୍ଲାର ୫୦୫ ଗାଁର ୮ଲକ୍ଷ ଲୋକ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସେହିଭଳି ୨ ବର୍ଷରେ ବିଜେପୁରର ସବୁ ଘରକୁ ପାଇପ୍ ପାଣି ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ଅନ୍ୟପଟେ ଗାଇସିଲଟ ଅଞ୍ଚଳବାସୀଙ୍କ ପାଇଁ ୪୮ କୋଟି ଟଙ୍କା ବ୍ୟୟରେ ବୃହତ ଉଠା ଜଳସେଚନ ପ୍ରକଳ୍ପ କରାଯିବ । ଯାହାଦ୍ୱାରା ୩ ହଜାର ଏକର ଚାଷ ଜମିକୁ ଜଳ ସେଚନ କରାଯିବ ବୋଲି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହାସହ ଗାଇସିଲଟ୍ ତହସିଲ ଅଧୀନରେ ୩ଟି ନୂଆ ଆରଆଇ ସର୍କଲ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ ।

ସେହିଭଳି ୯ଟି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ପାଇଁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁର ବ୍ଲକରେ ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବ । ଯେଉଁଠି ସପ୍ତାହକ ଭିତରେ ସ୍ୱସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଡ଼ାକ୍ତର ନିୟୋଜିତ ହେବେ । ଏହାସହ ବିଜେପୁରରେ ସରକାରୀ ଆଇଟିଆଇ ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କେବଳ ଏତିକି ନୁହେଁ ଗାଇସିଲଟ ଓ ବରପାଲିରେ ୨ଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ । ୮୦ କିଲୋମିଟର ରାସ୍ତାର ଉନ୍ନତି ପାଇଁ ୪ଟି ପ୍ରକଳ୍ପ ଓ ଗୋଟିଏ ବ୍ରିଜ୍ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୮୨ କୋଟି ଟଙ୍କା ଖର୍ଚ୍ଚ କରି ସ୍ଥିତି ସୁଧାରିବେ ରାଜ୍ୟ ସରକାର ବୋଲି ଲକ୍ଷ୍ୟ ରଖିଛନ୍ତି । ବିଜେପୁର ଓ ବରପାଲି ଏନଏଚସିର ଉନ୍ନତି ପାଇଁ ୪୦ କୋଟି ଘୋଷଣା । ୨ ବର୍ଷ ମଧ୍ୟରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ, ଯଥା ଚାଷୀଙ୍କୁ ଉନ୍ନତମାନର ବିଜୁଳି ଯୋଗାଣ, ୬୦ କିମି ଦୀର୍ଘ ୩୩ କେ.ଭି, ୧୨୫ କିମି ବ୍ୟାପୀ ୧୧ କେ.ଭି ଲାଇନ୍ ଯୋଗାଇ ଦିଆଯିବ ।

ସେହିଭଳି ଭୋଲଟେଜ୍ ସମସ୍ୟା ଦୁର ପାଇଁ ୫୦ଟି ଟ୍ରାନ୍ସଫର୍ମର ଲଗାଯିବ । ବିଜେପୁବାସୀଙ୍କ ଜୀବନଜିବିକା ପାଇଁ ରାଜ୍ୟ ସରକାର ଆଗକୁ ପ୍ୟାକେଜ ଆଣିବେ । ଏସବୁ ବାଦ୍ ସବୁଠାରୁ ବଡ଼ କଥା ହେଲା କି, ଚଳିତ ସରକାରରେ ବିଜେପୁର ଘୋଷଣା ହୋଇଥିବା ପ୍ୟାକେଜ କାର୍ଯ୍ୟର ପ୍ରତ୍ୟେକ ମାସରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଚଳିତ ନିର୍ବାଚନରେ ନିଜର ପାରମ୍ପାରିକ ବହିଞ୍ଜିଳି ଆସନ ସହ ପ୍ରଥମ ଥର କରି ବିଜେପୁର ଆସନରୁ ମଧ୍ୟ ନିର୍ବାଚିତ ହୋଇଛନ୍ତି ନିବୀନ । ତେଣୁ ନିର୍ବାଚନ ଜିତିବା ପରେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ନବୀନ ।