ଫେରୁଥିବା ଶ୍ରମିକ ମାନଙ୍କୁ ସରକାରଙ୍କ ଫୋକସ୍ । ଖାଦ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ରାସନ କାର୍ଡ ଥାଉ କି ନଥାଉ ରାସନ ପାଇବାରୁ କେହି ହେବେନି ବଞ୍ଚିତ ।

923

କନକ ବ୍ୟୁରୋ: ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାକୁ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଫେରୁଥିବା ଶ୍ରମିକମାନେ ଯେପରି ଖାଦ୍ୟ ନିରପତ୍ତାରୁ ବଂଚିତ ନ ହୁଅନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏପରିକି ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତିଦିନ ୧୦ ଲକ୍ଷ ମାନବ ଦିବସ ସୃଷ୍ଟି କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ସେମାନଙ୍କର ରାସନ କାର୍ଡ ଥାଉ କି ନଥାଉ, ଏହି ଶ୍ରମିକ ଏବଂ ତାଙ୍କ ପରିବାର ଯେପରି ରାସନ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ କହିଛନ୍ତି କି, ବର୍ତ୍ତମାନ କୋଭିଡ୍-୧୯ ନିୟନ୍ତ୍ରଣ ଦାୟିତ୍ୱ ହିଁ ହେଉଛି ବରିଷ୍ଠ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ୱ । ଏହାକୁ ଅତିରିକ୍ତ ଦାୟିତ୍ୱ ବୋଲି ଭାବିବେ ନାହିଁ । ତେଣୁ ବିପର୍ଯ୍ୟୟ ସମୟରେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ମନ୍ତ୍ର ଦେଇଛନ୍ତି ।

ସେହିପରି ଆଗାମୀ ୮-୧୦ ଦିନର ଦୃଶ୍ୟପଟ୍ଟକୁ ସାମ୍ନାରେ ରଖି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଗ୍ରାମପଞ୍ଚାୟତସ୍ତରରେ ଏଥିପାଇଁ ଅଧିକ ସୁବିଧା ସୁଯୋଗ ଯୋଗାଇ ବିକାଶ ଉପରେ ଗୁରୁତ୍ୱଆରୋପ କରିଥିଲେ । ଓଡ଼ିଶା ଫେରିକାବୁ ଥିବା ଶ୍ରମିକ ମାନଙ୍କ ନିମନ୍ତେ ଗ୍ରାମପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ୍ ତଥା ଅନ୍ୟାନ୍ୟ ସୁବିଧାକୁ ପ୍ରାଥମିକତା ଦିଆଯିବ । ଆଉ ଏନଆରଇଜଏସକୁ ଲକ୍ଷ୍ୟଭିତ୍ତିକ କରିବା ସହ ଏହା ଜରିଆରେ ବର୍ତ୍ତମାନ ସୃଷ୍ଟି ହେଉଥିବା ୫ ଲକ୍ଷ ମାନବ ଦିବସକୁ ଦୁଇ ଗୁଣ କରି ଆଗାମୀ ସପ୍ତାହ ସୁଦ୍ଧା ଦୈନିକ ୧୦ ଲକ୍ଷ ମାନବ ଦିବସକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ ।